ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓଡିଆ ଅସ୍ମିତାର ସମୟୋପଯୋଗୀ ଆହ୍ୱାନ ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ କୃତିକୁ ରୋମନ୍ଥନ କଲେ ମାତୃଭାଷା, ମାତୃଭୂମି, ଓଡିଶାର ଐତିହ୍ୟ, ପଶ୍ଚିମ ଓଡିଶାର ସଂସ୍କୃତି ତଥା ପରିପୁଷ୍ଟ ଜନଜୀବନର ପ୍ରକୃତ ପରିଚୟ ମିଳେ । ଗଙ୍ଗାଧରଙ୍କ ଉଚ୍ଚାଙ୍ଗ ସାରସ୍ୱତ ସୃଷ୍ଟିହିଁ ଓଡିଆ ଅସ୍ମିତାର ପ୍ରକୃତ ଦର୍ପଣ ବୋଲି ସାହିତ୍ୟ ସଂସ୍କୃତି ଟିଟିଲାଗଡ ଦ୍ୱାରା ଆୟୋଜିତ ସଭାରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସହାୟକ ଜିଲ୍ଲାପାଳ ସନ୍ଦୀପ କୁମାର ଚନ୍ଦ୍ରକାର ଓ ମୁଖ୍ୟବକ୍ତା ଭାବରେ ସୋନପୁର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ସୌରଭ ରଂଜନ ଖମାରୀ ମଂଚାସୀନ ଥିଲେ । ଚିନ୍ତାମଣି ମହାପାତ୍ରଙ୍କ ଦ୍ୱାରା ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ ପରେ ସୋହନ ମାଝୀଙ୍କ ପରିଚାଳନାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ କଣ୍ଠରେ ପ୍ରାରମ୍ଭିକଗାନ ପରିବେଷିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ଯୁଗଳ କିଶୋର ଷଡଙ୍ଗୀ ସ୍ୱାଗତ ଓ ଉଦ୍ଦେଶ୍ୟ ଗ୍ୟାପନ କରିଥିଲେ । ଏହି କ୍ରମରେ ବରିଷ୍ଠ ଲେଖକ ସେବକ ଚରଣ ଦାଶଙ୍କ ‘ଲଘୁଚେତନା’ ପୁସ୍ତକ ଉନ୍ମୋଚିତ ହୋଇଥିଲା ଏବଂ ଶ୍ରୀ ଦାଶ ପୁସ୍ତକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନ ଅର୍ପଣର ଆଉ ଏକ ଅଧ୍ୟାୟ ଯୋଡିବା ସହ ଅନୁଷ୍ଠାନ ପକ୍ଷରୁ ଅଶୀବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ପ୍ରାକ୍ତନ ସଭାପତି ଜଗନ୍ନାଥ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହରର ସର୍ବ ପୁରାତନ ଏହି ସାରସ୍ୱତ ଅନୁଷ୍ଠାନକୁ ସାଂସ୍କୃତିକ ବିଭାଗ ତରଫରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସଭାପତି ଶ୍ରୀ ଗଡତ୍ୟା ତାଙ୍କ ଅଭିଭାଷଣ ପ୍ରସଂଗରେ ଅନୁରୋଧ କରିଥିଲେ । ସଂପାଦକ ପ୍ରମୋଦ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.