
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ହିରୋସୀମା ଓ ନାଗାସାକୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ପ୍ରଧାନଙ୍କ ସଭାପତିତ୍ୱ ଓ ପ୍ରାକ୍ତନ ସରକାରୀ କୃତି ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ପ୍ରାକ୍ତନ ସରକାରୀ କୃତି ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ସମ୍ମାନିତ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ କବି ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହିରୋସୀମା ଓ ନାଗାସାକୀ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଓ ମିତ୍ର ରାଷ୍ଟ୍ର ତରଫରୁ ଜାପାନର ହିରୋସୀମା ଓ ନାଗାସାକୀ ସହର ଉପରେ ଯେଉଁ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା ସେଥିରେ ପ୍ରାୟ ୨ କୋଟି ୭୦ ହଜାର ଲୋକ ପ୍ରାଣ ହରାଇବା ସହ ପ୍ରଭାବିତ ହୋଇଥିଲେ । ୭୯ ବର୍ଷ ପରେ ମଧ୍ୟ ଏହି ବିଭିଷିକାରୁ ମାନବ ଜାତିକୁ ତ୍ରାହି ମିଳିପାରି ନାହିଁ । ତେଣୁ ସମ୍ପ୍ରତି ବିଜ୍ଞାନକୁ ଜନ ଅହିତରେ ନଲଗାଇ ଜନ ହିତରେ ଲଗାଇବାର ଆବଶ୍ୟକତା ରହିଛି । ବିଜ୍ଞାନକୁ ଅପବ୍ୟବହାର କଲେ ତାହା ମାନବ ସମାଜର ଧ୍ୱଂସର କାରଣ ପାଲଟିବ । ସମ୍ପ୍ରତି ବିଶ୍ୱ ପରମାଣୁ ବାରୁଦର ସ୍ତୁପ ଉପରେ ଠିଆହୋଇଛି । ମଣିଷ ସଂଞ୍ଜତ ନହେଲେ କେତେବେଳେ ବି କିଛି ଅଘଟଣ ଘଟିପାରେ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପ୍ଲାଇକାର୍ଡ ମାଧ୍ୟମରେ ଆମେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ଟ୍ୟାଙ୍କ ନୁହେଁ ଶିକ୍ଷା ଚାହୁଁ ଓ ବୋମା ନୁହେଁ ରୁଟି ଚାହୁଁ ବୋଲି ସ୍ଲୋଗାନ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସରସ୍ଵତୀ ପଟେଲ ଓ ରାଜଶ୍ରୀ ପରିଜା ତଥା ଛାତ୍ରୀ ପାୟଲ ଖାଡିଆ ଏହି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ମର୍ମରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ଏହି ଦିବସ ସମ୍ପର୍କରେ ଏକ କବିତା ପାଠ କରିଥିଲେ । ଆବାହକ ତଥା ସଂଯୋଜକ ଶ୍ରୀ ଦୁବେ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଅତିଥି ମାନଙ୍କ ପରିଚୟ ତଥା ସଭାପତି ଶ୍ରୀମତୀ ପ୍ରଧାନ ଏହି ଦିବସର ଭୟାବହତା ସମ୍ପର୍କରେ ପ୍ରାକ୍ କଥନ ରଖିଥିଲେ । ଏହି ଅବସରରେ ଉକ୍ତ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମମତାମୟୀ ପଟେଲ, ସୁସ୍ମିତା ସାହୁ, ରୀନୁ ପ୍ରଧାନ, ଶିକ୍ଷକ ଦେବାଶିଷ ଦେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଭିଭାବକ ଚାରି ଭୂମିଜ, ମୀନୁ ଇନ୍ଦୁଆର, ପାଚିକା ସହାୟିକା ସୁଗୀ ସମାସୀ, ସୁମିତ୍ରା ପଶାୟତ, ସୁମିତ୍ରା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।