- ଚଳିତ ବର୍ଷ ପକ୍ଷୀ ଗଣନା ନିମନ୍ତେ ୪୪ଟି ସାଇଟ ଅନ୍ତର୍ଭୁକ୍ତ; ଗଣନା ଟିମ୍ରେ ରହିବେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ଜାନୁଆରୀ ୧୮ରେ ଶିମିଳିପାଳ ବନଖଣ୍ଡରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିନିମନ୍ତେ ବାରିପଦା ବନଖଣ୍ଡ ପକ୍ଷରୁ, ବନରକ୍ଷୀ, ବନ ଅଧିକାରୀ, ଛାତ୍ରଛାତ୍ରୀ, ପ୍ରମୁଖ ଏନଜିଓ, ପରିବେଶବିତ୍ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ତଥା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବନ ଅନୁଭାଗ ଅଧିନସ୍ଥ ସଂକଳ୍ପ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଶେଷତଃ ପାଣିରେ ବିଚରଣ କରୁଥିବା ପକ୍ଷୀମାନଙ୍କ ଗଣନା ବିଷୟରେ ଆଲୋଚନା ହେବା ସହିତ ଗଣନା ପ୍ରକ୍ରିୟା କିଭଳି ଭାବରେ ବଣ୍ୟ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ ରଖି ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଶ୍ରୀ ମହେଶଙ୍କ ସୂଚନା ଅନୁସାରେ, ବାରିପଦା ବନଖଣ୍ଡରେ ୪୪ଟି ସାଇଟ ଏହି ପକ୍ଷୀ ଗଣନାରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସାମିଲ କରିବା ପାଇଁ ଯୋଜନା କରାଯାଇଛି । ଏହି ୪୪ଟି ସାଇଟରେ ବନ୍ୟପ୍ରାଣୀ ସଂରକ୍ଷଣ ଦଳ ଉପସ୍ଥିତ ରହିବେ ଏବଂ ପକ୍ଷୀ ଗଣନା ସମୟରେ କୌଣସି ପ୍ରାକୃତିକ ଜୈବମଣ୍ଡଳର କାର୍ଯ୍ୟକାରିତାରେ ବିଶୃଙ୍ଖଳା ସୃଷ୍ଟି ନହୁଏ ସେ ବିଷୟରେ ଧ୍ୟାନ ଦିଆଯିବ । ଯେହେତୁ ଜଳରେ ବିଚରଣ କରୁଥିବା ପକ୍ଷୀ ମାନଙ୍କର ତଥ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇବ ତେଣୁ କୌଣସି ପକ୍ଷୀଙ୍କ ପ୍ରାକୃତିକ ସନ୍ତୁଳନକୁ ବ୍ୟାଘାତ ନକରି ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ ସେ ବିଷୟରେ ବନବିଭାଗ ସଚେତନ ରହିବା ସହିତ ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏହି ବୈଠକରେ, ବନ୍ୟପ୍ରାଣୀ ରକ୍ଷକ ବିବେକାନନ୍ଦ ପଟ୍ଟନାୟକ, ସଂଗ୍ରାମ ଏନଜିଓ ସଂସ୍ଥାପିକା ସଂଯୁକ୍ତା ବସା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ପକ୍ଷୀ ସଂରକ୍ଷଣ ଏବଂ ଗଣନାର ଆବଶ୍ୟକତା ବିଷୟରେ ବିଶେଷ ଆଲୋଚନା କରିଥିଲେ । ମୟୂରଭଞ୍ଜ ଅନ୍ତର୍ଗତ ଶିମିଳିପାଳ ଠାରେ ଓରିଅଲ, ରେଡ଼ ଜଙ୍ଗଲ ଫଲ, ଏସିଆନ ଟିଟ, ଭଳି ଦୁର୍ଲଭ ପକ୍ଷୀ ଦେଖା ଯାଉଥିବାରୁ ଏଠାରେ ଏହି ଗଣନାର ଆବଶ୍ୟକତା ଗୁରୁତ୍ୱ ରହିଛି । ଏଣୁ ଏହି ପକ୍ଷୀ ଗଣନାର ଟିମରେ ୫ ଜଣ ଲେଖାଏଁ ବ୍ୟକ୍ତି ରହିବେ । ଟିମ୍ରେ ବନବିଭାଗ କର୍ମଚାରୀ, ପରିବେଶବିତ୍, ବନ୍ୟପ୍ରାଣୀ ବିଶେଷଜ୍ଞ ଓ ସ୍ଥାନୀୟ ସାଧାରଣ ଲୋକଙ୍କୁ ସାମିଲ କରାଯାଇଛି ଏବଂ ସେମାନଙ୍କୁ ଏଥି ନିମନ୍ତେ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି । ବୈଠକରେ ଅତିରିକ୍ତ ବନ ସଂରକ୍ଷକ ରବିନାରାୟଣ ମହାନ୍ତି ଉପସ୍ଥିତ ବନବିଭାଗ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ବନଖଣ୍ଡରେ ଦେଖାଯାଉଥିବା ପକ୍ଷୀ ମାନଙ୍କ ବିଷୟରେ ବିଶଦ ବିବରଣୀ ଦେବା ସହିତ ବୈଜ୍ଞାନିକ ତଥ୍ୟ ଉପସ୍ଥାପନ କରିଥିଲେ ।