
ଭୁବନେଶ୍ୱର : ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ରଜ ୩ ଦିନ ପାଳନ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠାମିଠାର ଆସର ଜମିଛି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ଼ ଆକର୍ଷଣ । ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠା, ମିଠା ଖାଇ ରଜ ଉତ୍ସବକୁ ପାଳନ କରିଛନ୍ତି । ପାଦରେ ଅଳତାକୁ ହାତରେ ମେହେନ୍ଦି ଲଗାଇ ସଜେଇ ଝିଆମାନେ ହୋଇଛନ୍ତି । ପାନକୁ ବା କିଏ ଭୁଲିବ । ରଜ ପର୍ବରେ ମିଠା ପାନର ପସରା ସବୁଛି ମେଳିଛି । ଭଳିକି ଭଳି ମିଠା ମସଲା ଯୁକ୍ତ ପାନ ରଜ ପର୍ବକୁ ଆହୁରି ଆକର୍ଷିତ କରିଛି । ରାଜଧାନୀ ଭୁବନେଶ୍ୱରରେ ଏହି ୩ଦିନିଆ ରଜ ପର୍ବ ବଡ଼ ଧୁମ୍ଧାମ୍ରେ ପାଳନ ହୋଇଛି । ଏଥିପାଇଁ ଚାରିଆଡ଼ ଉତ୍ସବମୁଖର । ସରକାରୀ, ବେସରକାରୀ ଅନୁଷ୍ଠାନ ରଜ ପର୍ବକୁ ଅଧିକରୁ ଅଧିକ ଆକର୍ଷଣୀୟ କରିଛି । କାହିଁକି ପାଳନ ହୁଏ ରଜ ପର୍ବ- ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ । ଯେଉଁଥିପାଇଁ ଭୂଖନନ ବାରଣ କରାଯାଏ । ଆଷାଢର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ । ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଏହି ତିନି ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀ ମାଆକୁ କଷ୍ଟ ନ ଦେଇ ଭୂମିକୁ ବିଶ୍ରାମ ଦିଆଯିବାର ପରମ୍ପରା ରହିଛି । କୁମାରୀମାନେ ରଜ ପର୍ବର ମଉଜ ଭିତରେ ଜଣେ ନାରୀର, ଆଚାର ସଂହିତାକୁ ପାଳିଥାନ୍ତି । ଏହି ବିଧି ସେମାନଙ୍କ ଜୀବନର ପ୍ରତିଟି ପାହାଚରେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ତୁଲାଇବାରେ ସହାୟକ ହୋଇଥାଏ ।