ଗନ୍ଧମାର୍ଦ୍ଦନ ପର୍ବତରେ ଫସିରହିଥିବା ୧୭ ତୀର୍ଥଯାତ୍ରୀ ୨୧ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ନୃସିଂହନାଥ ମନ୍ଦିରକୁ ଛତିଶଗଡ଼ରୁ ଆସିଥିବା ୨୧ ଜଣ ତୀର୍ଥଯାତ୍ରୀ ବୁଧବାର ସକାଳ ୧୦ ଟା ସମୟରେ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାପରେ ୧୦ଟା ୩୦ ରେ ୧୭ ଜଣ ଗନ୍ଧମାର୍ଦ୍ଦନ ପାହାଡ ଚଢ଼ି ହରିଶଙ୍କର ମନ୍ଦିରକୁ ବାହାରିଥିଲେ । ଅପରାହ୍ନ ୩ଟାରେ ଭୀମ ମଣ୍ଡୁଆ ଦେଇ ବାଲକୋ ଖଦାନ ପର୍ୟ୍ୟନ୍ତ ଯାଇ ଫସି ଯାଇଥିଲେ । ସେଠାରୁ ଏପଟ ସେପଟ ହୋଇ ଆଉ ରାସ୍ତା ପାଇ ନ ଥିଲେ । ସନ୍ଧ୍ୟା ସମୟରେ ତାଙ୍କର ଜଣେ ସଂପର୍କୀୟ ଟିକୁ ସାହୁକୁ ଖବର ଦେଇଥିଲେ । ଟିକୁ ସାହୁ ପାଇକମାଳ ଥାନା, ସାମ୍ବାଦିକ ତଥା ବନ ବିଭାଗ କର୍ମଚାରୀଙ୍କୁ ଏନେଇ ଅବଗତ କରାଇଥିଲେ । ଖବର ପାଇ ପାଇକମାଳ ଥାନା କର୍ମଚାରୀ, ବରଗଡ଼ ଡିଭିଏଫ, ବନ କର୍ମଚାରୀ, ଅଗ୍ନିଶମ ବାହିନୀ କର୍ମଚାରୀ ଓ ମନ୍ଦିର କର୍ମଚାରୀ ମିଳିମିଶି ୮ ଟା ସମୟରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀ ଦଳ ଅଧା ରାସ୍ତା ଯିବାପରେ ଭୀଷଣ ବର୍ଷା ଓ ଘଡଘଡି ହେବାରୁ ସେଥି ସ୍ଥାନରେ ରହିଯାଇଥିଲେ । ଗୁରୁବାର ରାତ୍ର ୩ଟାରୁ ପୁଣି ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା ଏବଂ ସକାଳ ୮ଟା ୧୫ ମିନିଟ ସମୟରେ ଫସି ରହିଥିବା ୧୭ ଜଣଙ୍କୁ ଠାବ କରିଥିଲା ଉଦ୍ଧାରକାରୀ ଦଳ । ଠାବ କଲାପରେ ସେମାନଙ୍କୁ ସାଙ୍ଗରେ ନେଇଥିବା ପାଣି ,ବିସ୍କୁଟ ଓ ଫଳ ଖାଇବାକୁ ଦିଆଯାଉଥିଲା । କିଛି ସମୟ ପରେ ସେଠାରୁ ନୃସିଂହନାଥ ମନ୍ଦିର ଅଭିମୁଖେ ବାହାରିଥିଲେ । ଭଲ ଭାବରେ ବାଟ ଦେଖି ପାରୁନଥିବା ଜେମା ଭୋଇ (୪୦)ଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ବୋହିକି ଆଣିଥିଲେ । ସେଥି ଯୋଗୁଁ ନିର୍ଦ୍ଧିଷ୍ଟ ସମୟରେ ନ ପହଞ୍ଚି ୪ ଟା ରେ କପିଲ ଧାର ପର୍ୟ୍ୟନ୍ତ ସମସ୍ତେ ପହଞ୍ଚିଥିଲେ । ସେମାନେ ପହଞ୍ଚିବା ପରେ ତାଙ୍କୁ ପୋଲିସ ପ୍ରଶାସନ ତରଫରୁ ଟିଫିନ୍ ଓ ପାନୀୟ ପ୍ରଦାନ କରାଯାଇଥିଲା । ସମସ୍ତେ ବାହାରି ନୃସିଂହନାଥ ମନ୍ଦିରକୁ ୪ଟା ୩୦ ମିନିଟ ସମୟରେ ପହଞ୍ଚିଥିଲେ । ଆଗରୁ ଅପେକ୍ଷା କରିଥିବା ପାଇକମାଲର ଡାକ୍ତର ଟିମ୍ ସମସ୍ତଙ୍କୁ ପରୀକ୍ଷା କରି ଉପଯୁକ୍ତ ଔଷଧ ପ୍ରଦାନ କରିଥିଲେ । ଅଧିକାଂଶ ଲୋକଙ୍କ ଗୋଡ଼ ମାନଙ୍କରେ ଆଘାତ ଲାଗିଥିବା ଦେଖାଯାଇଥିଲା । ଉଦ୍ଧାର ହୋଇଥିବା ୧୭ ଜଣ ହେଲେ ମଚିଦା ଗ୍ରାମର ୧୧ ଜଣ ମନିରାମ ସିଦାର (୪୫), ଗାନ୍ଧାରୀ ବେହେରା (୪୦), ଛତ୍ରପତି ସିଦାର (୧୬), ନଳୀନୀ ପ୍ରଧାନ (୪୫), ସାରଦା ପ୍ରଧାମ (୧୯), ସୁରେଶ ପ୍ରଧାନ (୨୦), ଶ୍ରୀୟା ସିଦାର (୧୪), କୈକେୟୀ ଭୋଇ (୩୩), ପୁନମ ପ୍ରଧାନ (୨୪), ସୁଶିଲା ଜାଦବ (୨୨), ମହେଶ ପ୍ରଧାନ (୫୫), ବାଦିମାଲର ୩ ଜଣ ଜେମା ଭୋଇ (୪୦), ଶାନ୍ତି ଭୋଇ (୧୩), ପରିତା ଭୋଇ (୩୬), ଚାଣ୍ଟିପାଲିର ୨ ଜଣ ସୌଦାମିନି ସାହା (୩୫), ଶୃତି ସାହା (୧୪), ଘରଦା ର ସୁକୁମାରୀ ସିଦାର (୩୫)। ପାଇକମାଳ ଚିକିତ୍ସାଳୟର ଡା. ଆଶିଷ ଅଭିଳାସ ମହାନ୍ତି, ଫାର୍ମାସିଷ୍ଟ ଚିତରଞ୍ଜନ ଦାସ, ଡା. କୋଶଲ ନାୟକ, ଡା. ପ୍ରିୟଙ୍କା ଜାଲ, ଲଲିତା ନନ୍ଦ ସହ ପୁରା ଡାକ୍ତରି ଦଳ ପ୍ରାଥମିକ ଚିକିତ୍ସା କରିଥିଲେ । ଉଦ୍ଧାରକାରୀ ଦଳରୁ ଜଣେ ବନରକ୍ଷୀ ଶାନ୍ତନୁ ପ୍ରଧାନଙ୍କ ଗୋଡରେ ଆଘାତ ହୋଇଛି । ସେ ମଧ୍ୟ ଚିକିତ୍ସିତ ହୋଇଛନ୍ତି । ଗୁରୁବାର ସକାଳେ ସମ୍ବଲପୁର ଆଇଜି ଆଇପିଏସ ହିମାଂଶୁ କୁମାର ଲାଲ ,ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନା ,ଏସଡିପିଓ ପାଣ୍ଡବ ଶବର ,ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ , ରେଞ୍ଜର ହୃଦାନନ୍ଦ ମିଶ୍ର , ଫରେଷ୍ଟର ରମେଶ ପ୍ରଧାନ, ଫରେଷ୍ଟର ଦିବାକର ପ୍ରଧାନ ,ଅଗ୍ନିଶମ ବାହିନୀର ହାବିଲଦାର ନିରଞ୍ଜନ ବାରିକ, ଶେଷଦେବ ପୁଟେଲ, ଜୟଦେବ ପଟେଲ, ବିକେଶ ସୋରେନ ଓ ରାଜେଶ ଛାଟୋଇ ପ୍ରମୁଖ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । ସମସ୍ତେ ନୃସିଂହନାଥ ପହଞ୍ଚିବା ପରେ ନୃସିଂହନାଥ ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନ୍ନ ଭୋଗର ବ୍ୟବସ୍ଥା କରିଥିଲେ ।

jittmm
Leave A Reply

Your email address will not be published.