ସିବିଆଇର ୩୪ ଜଣଙ୍କୁ ପୋଲିସ ପଦକ ବିତରଣ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଯୋଗଦେଇ କହିଲେ ଯେ, ଦୁର୍ନୀତି ରୂପକ ଅପରାଧ ରୋକିବା ସମସ୍ତଙ୍କ ଅଧିକାର ଓ ଉତ୍ତରଦାୟିତ୍ୱ । ବିଶେଷ କରି ସାଧାରଣ ନାଗରିକଙ୍କ ଉପରେ ଦୁର୍ନୀତିର ଅଧିକ ପ୍ରଭାବ ପଡ଼ିଥାଏ । ସରକାରୀ ନିଷ୍କ୍ରିୟତା ଏହାକୁ ପ୍ରୋତ୍ସାହନ ଦେଇଥାଏ ଓ ଏହାଦ୍ୱାରା ଆର୍ଥିକ ଅପାରଗତା ସୃଷ୍ଟି ହୋଇଥାଏ । ଏଥିସହ ଦେଶର ସୁରକ୍ଷା ପ୍ରତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଥାଏ । ଛୋଟ କିମ୍ବା ବଡ଼ ଦୁର୍ନୀତି ସବୁବେଳେ ଅନ୍ୟର ଅଧିକାର ଛଡ଼ାଇ ନେଇଥାଏ ବୋଲି ଡ. ମିଶ୍ର କହିଥିଲେ । ଦୁର୍ନୀତି ନିବାରଣ ଦିବସର ବିଷୟବସ୍ତୁ ‘ୟୁଏନ୍‌ସିଏସ୍‌ ଆଟ୍‌ ୨୦ : ଦୁର୍ନୀତି ବିରୋଧରେ ବିଶ୍ୱକୁ ଏକଜୁଟ୍‌ କରିବା’ ସମ୍ପର୍କରେ ସେ କହିଲେ ଯେ, ସବୁ ଦେଶ ଏହା ବିରୋଧରେ ଏକଜୁଟ ହୋଇ ଲଢିବାର ସମୟ ଆସିଛି । ଏଥିସହ ଅଭିନବ ଦୁର୍ନୀତି ନିବାରଣ ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ୩୪ଜଣ ସିବିଆଇ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ବିତରଣ କରାଯାଇଥିଲା । ମୁଖ୍ୟ ଦୁର୍ନୀତି ନିବାରଣ ଆୟୁକ୍ତ, କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତଗଣ, ଲୋକପାଳ ସଦସ୍ୟ, ୟୁପିଏସ୍‌ସି ଅଧ୍ୟକ୍ଷଙ୍କ ସହ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସିବିଆଇର ସମସ୍ତ ଶାଖା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ସ୍ୱାଗତ ଭାଷଣ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.