ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ପକ୍ଷରୁ ସକାଳ ୮ଟା ବେଳେ ସ୍ଥାନୀୟ ସୁରେଶ୍ୱରୀ ମନ୍ଦିରରୁ ସୋନପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶକ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ‘ଶକ୍ତିର ଗତି ରାଷ୍ଟ୍ରର ପ୍ରଗତି’ ବାର୍ତ୍ତା ବହନ କରୁଥିବା ଏହି ପଦଯାତ୍ରା ଜିଲ୍ଲାର ମହିଳା ଏବଂ ଛାତ୍ରୀ ମାନଙ୍କୁ ଦେଶର ବିକାଶରେ ଅବଦାନ ପାଇଁ ଉତ୍ସାହିତ କରିଥିଲା । ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଉପ ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ ଏବଂ ସୋନପୁର ପୌରଧ୍ୟକ୍ଷା ତମସି ତାମସ୍ମିତା ନାଏକ ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସୋନପୁର ଉପଜିଲ୍ଲାପାଳ ଡ଼. ରଥ ଏହି ପଦଯାତ୍ରାର ନେତୃତ୍ୱ ବହନ କରିଥିଲେ । ଏହି ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଡ଼ିଏସପି ଶ୍ରୀମତୀ ରେଣୁକା ସୁନା, ସୋନପୁର ଥାନା ଅଧିକାରୀ ଯାଦବ ବାଗ, ଡେପୁଟି କଲେକ୍ଟର ଏବଂ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ ଉପସ୍ଥିତ ସମସ୍ତ ଛାତ୍ରୀ ଓ ମହିଳାଙ୍କୁ ଶୁଭେଚ୍ଛା ଜଣାଇ ଦେଶର ଉନ୍ନତିରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିବା ସହ ପୃଥିବୀ ଆରମ୍ଭରୁ ଯୁଗେ ଯୁଗେ ମହିଳାମାନେ ସମର୍ଥ ସେମାନେ ସମର୍ଥ ହୋଇ ନ ଥିଲେ ବର୍ତ୍ତମାନ ଆମେ ଯେଉଁ ଜାଗାରେ, ସ୍ଥିତିରେ ଅଛୁ ତାହା ସମ୍ଭବ ହୋଇ ନଥାନ୍ତା । ଏବଂ କହିଥିଲେ ମୁଁ ଭାବେ ସବୁଠୁ ବଡ଼ କଥା ଯଦି ଜଣେ ମହିଳା ଉଚ୍ଚ ପଦ ପଦବୀ ତଥା ସମ୍ମାନର ଅଧିକାରୀ ହୋଇଗଲା ତାଙ୍କୁ ନେଇ ବେଶ ଚର୍ଚ୍ଚା ହୁଏ କିନ୍ତୁ ବିଶେଷ ଭାବରେ ଲୋକଙ୍କ ନଜରକୁ ଅସେ ନାହିଁ ଯେଉଁ ଠାରେ ମା’ ଟିଏ ଚାରି କାନ୍ଥ ଭିତରେ ଘର ସମ୍ଭାଳୁଛି ସେଇଠୁ ଆଉ ବଡ ସାମର୍ଥ୍ୟ କାହିଁ ମୋତେ ଲାଗେନାହିଁ । ସେ ପରିବାର କହେ ସମାଜ କହେ ସେହି ଶ୍ରଦ୍ଧା ଟିଏ ସେହି ସ୍ନେହ ଟିଏ ପାଇଁ ସମାଜ ପରିପୂର୍ଣ୍ଣ ହୁଏ । ସେହିପରି ପୌରାଧ୍ୟକ୍ଷା ତାମସି ତମସ୍ମିତା ନାଏକ, ଉପ ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସପି ରେଣୁକା ସୁନା, ପ୍ରତିମା ରଥ, ଶ୍ରଦ୍ଧାଞ୍ଜଳୀ ମିଶ୍ର ପ୍ରମୁଖ ତାଙ୍କ ଉଦବୋଧନରେ ନାରୀ ଆଜି ଅବଳା ନୁହେଁ ସମସ୍ତ କ୍ଷେତ୍ରରେ ସମର୍ଥ ବୋଲି ପ୍ରକାଶ କରିଥିଲେ । ମା ସୁରେଶ୍ୱରୀଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ୩ ଦିନିଆ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଅନ୍ତିମ କାର୍ଯ୍ୟକ୍ରମ ଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ଏବଂ ବିଭିନ୍ନ ଅନୁଷ୍ଠାନର ମହିଳାମାନେ ଏଥିରେ ଭାଗ ନେଇଥିଲେ । ବିଭିନ୍ନ ସ୍ଲୋଗାନ ଓ ପୋଷ୍ଟର ଧରି ସେମାନେ ମା’ ସୁରେଶ୍ୱରୀଙ୍କ ପୀଠରୁ ବାହାରି ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲେ । ଏହା ସହିତ ଜିଲ୍ଲାର ସୁବର୍ଣ୍ଣା ନାରୀ ଜାଗରଣ ସମିତି, ତୁଳସୀ ମହିଳା ସମିତି, ଭାରତ ବିକାଶ ପରିଷଦ ମହିଳା ସହଭାଗିତା ଆଦି ସଂଗଠନର ମହିଳାମାନେ ମଧ୍ୟ ପଦଯାତ୍ରାରେ ସକ୍ରିୟ ଭାବେ ଭାଗ ନେଇଥିଲେ ।
Prev Post