
କଟକ : ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୦ରେ ପହଞ୍ଚିଛି । କିନ୍ତୁ ମେଡିକାଲ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାର ନୂତନ ନିଯୁକ୍ତି ସହ ପଦୋନ୍ନତି ମାଧ୍ୟମରେ ଖାଲିଥିବା ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ମେଡିକାଲ କଲେଜ ଶିକ୍ଷକ ସଂଘ ଦାବୀ କରିଛି । ସୂଚନାନୁସାରେ, ରାଜ୍ୟର ୧୦ ସରକାରୀ ମେଡିକାଲ କଲେଜରେ ପାଠ ପଢ଼ାଇବା ନିମନ୍ତେ ପ୍ରଫେସର, ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ମିଶି ପ୍ରାୟ ୧୪୦୦ ଶିକ୍ଷକ ପଦବୀ ରହିଛି । ସେଥିମଧ୍ୟରୁ ୪୦୦ ପଦବୀ ଖାଲି ପଡ଼ିଛି । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍ସି) ଦ୍ୱାରା ଆଗାମୀ ଦିନରେ ୩୦୦ ପଦବୀ ପୂରଣ ହେବାର ଅଛି । ଏହାପରେ ବି ଆହୁରି ଶିକ୍ଷକ ପଦବୀ ଖାଲି ପଡ଼ିବ । ରାଜ୍ୟବାସୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ଏବଂ ଡାକ୍ତରୀ ପାଠ୍ୟକ୍ରମର ବିକାଶ ପାଇଁ ଓଡ଼ିଶା ମେଡିକାଲ କଲେଜ ଶିକ୍ଷକ ସଂଘ ସଂକଳ୍ପବଦ୍ଧ । ସରକାର ଓ ସଂଘ ମଧ୍ୟରେ ସମନ୍ୱୟ ସ୍ଥାପନ କରାଗଲେ ସଂଘର ଅନେକ ସମସ୍ୟା ସମାଧାନ ହୋଇପାରିବ । ଏସ୍ସିବି ମେଡିକାଲ କଲେଜ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ହେବାକୁ ଯାଉଛି । ସଂଘର ଏଥିପ୍ରତି ପୂର୍ଣ୍ଣ ସମର୍ଥନ ରହିଛି । ମେଡିକାଲ ଶିକ୍ଷକଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମେଡିକାଲ କଲେଜରେ ଅଧିକ ଶିକ୍ଷକ ରହିବାର ଆବଶ୍ୟକତା ରହିଛି । ସରକାର ଓ ସଂଘ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହା ସମାଧାନ ହୋଇପାରିବ ବୋଲି କଟକ କ୍ଲବ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଡା. ଜୟନ୍ତ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଡା. ଦୀପକ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହି ଅବସରରେ ଆଗାମୀ ୨ ବର୍ଷ ପାଇଁ ନିର୍ବାଚିତ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ କୋଷାଧ୍ୟକ୍ଷ ଡା. ସୌମ୍ୟରଞ୍ଜନ ନାୟକ, ସଂଘ ଜର୍ନାଲର ସମ୍ପାଦକ ଡା. ମିହିର ରଞ୍ଜନ ନାୟକ, ଡା. ସାରଦା ପ୍ରସନ୍ନ ସ୍ୱାଇଁ, ମନୋରଞ୍ଜନ ଦାସ, କାଳୀପ୍ରସନ୍ନ ସ୍ୱାଇଁ, ଆଶିଷ ରଞ୍ଜନ ବାରିକ, ଫକୀର ମୋହନ ଦେଷ୍ଟା, ନିର୍ମଳ ଚନ୍ଦ୍ର ସାହୁ ଓ ଡା. ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।