centurian jitm

ଡେଲାଙ୍ଗ ବେରବୋଇ ମାଟି ଭୁଲିନି ଗାନ୍ଧୀଙ୍କ ପଦ ଚିହ୍ନକୁ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବେରବୋଇରେ ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ସପତ୍ନୀ, ସପୁତ୍ର, ପୁତ୍ରବଧୂ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ କୃପାଳିନୀ, ମା’ରମାଦେବୀ, ଡଃ ରାଜେନ୍ଦ୍ର ପ୍ରସାଦ, କୃପାସିନ୍ଧୁ ହୋତାଙ୍କ ଭଳି ଅନେକ ଦେଶସେବକଙ୍କ ସହ ଅବସ୍ଥାନ କରି କୁଟୀର ଶିଳ୍ପ, ନିଶା ନିବାରଣ, ଅସ୍ପୃଶ୍ୟତା, ତତ୍କାଳୀନ ଆମ ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଦେଶକୁ ସ୍ୱାଧୀନତା ଆଣିବାରେ ମାର୍ଗ ପ୍ରଦର୍ଶନ କରିଥିବା ଏହି ୪ର୍ଥ ଗାନ୍ଧୀ ସେବାସଂଘ ସମ୍ମିଳନୀର ଅଭୁଲା ସ୍ମୃତିକୁ ମନେ ପକାଇ ୨୦୨୩ ମାର୍ଚ୍ଚ ୨୬ରେ ବେରବୋଇ ଗାନ୍ଧୀ ପୀଠ ପରିସରରେ ଗାନ୍ଧୀ ସ୍ମୃତି କମିଟି ଆନୁକୂଲ୍ୟରେ ପାଳନ ହେବ ୫୫ତମ ଗାନ୍ଧୀ ସ୍ମାରକୀ ସମ୍ମିଳନୀ । ପ୍ରକାଶ ଥାଉକି, ୧୯୬୯ ମସିହାରୁ ଗାନ୍ଧିଜୀଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ସେହିବର୍ଷଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୫ରୁ ୩୧ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦିନରେ ଗାନ୍ଧୀ ସ୍ମାରକୀ ସମିତି ଗାନ୍ଧୀ ତତ୍ତ୍ଵର ପ୍ରଚାର ପ୍ରସାର ନିମନ୍ତେ ଏକ ସ୍ମାରକ ସମ୍ମିଳନୀର ଆୟୋଜନ କରିଆସୁଛନ୍ତି । ଏହି ଅବସରରେ ବିଭିନ୍ନ ବର୍ଷରେ ସ୍ୱାଧୀନତା ସଂଗ୍ରାମୀ, ତାଙ୍କର ଉତ୍ତରାଧିକାରୀ, ମେଧାବୀ ଛାତ୍ରଛାତ୍ରୀ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ ଏବଂ ପୁରସ୍କୃତ କରାଯାଉଛି । ୨୦୨୩ ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଓ ବକ୍ତା ଭାବେ ପ୍ରଫେସର ସହଦେବ ପାତ୍ର, ପୁରୀ ସର୍ବୋଦୟ ମେଳା କମିଟିର ସଭାପତି ଉମାବଲ୍ଲଭ ମହାପାତ୍ର, ସଂପାଦକ ଶିବପ୍ରସାଦ ମିଶ୍ର, ବିଶିଷ୍ଟ ସ୍ତମ୍ଭକାର ଗାନ୍ଧୀ ଚିନ୍ତକ ଗୌରାଙ୍ଗ ଚରଣ ପରିଡ଼ା, ଡେଲାଙ୍ଗ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା, ବିଡ଼ିଓ ଲାବଣେନ୍ଦୁ ମହାନ୍ତି, ଡେଲାଙ୍ଗ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ଃ ସରୋଜ କୁମାର ପଣ୍ଡା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ଗତ ୧୯ ତାରିଖ ରବିବାର ଦିନ କମିଟିର ଚୂଡାନ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଉଦ୍ଦେଶ୍ୟରେ ଜଣେ ଗରିବ ମେଧାବୀ ଛାତ୍ରକୁ ପୁରସ୍କୃତ କରାଯିବ ବୋଲି ସ୍ଥିରୀକୃତ ହୋଇଛି ଆହୁରି ମଧ୍ୟ ଆଜିର ସମାଜରେ ଗାନ୍ଧୀ ଦର୍ଶନର ଆବଶ୍ୟକତା ଉପରେ ଗଭୀର ଆଲୋଚନା ସହ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଇତ୍ୟବସରରେ ଗାନ୍ଧୀ ସ୍ମାରକୀ ସମିତିର ସଭାପତି ଇଂ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉପସଭାପତି କୁନ୍ତଳା ବିଶ୍ବାଳ, ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ସଙ୍ଗଠନ ସମ୍ପାଦକ ଗାନ୍ଧୀ ପ୍ରେମୀ ଅନାମ ମଲ୍ଲିକ,ବରିଷ୍ଠ ସଦସ୍ୟ ବଲ୍ଲଭ ବିଶ୍ବାଳ, ଦୁତିକୃଷ୍ଣ ରାଉତ, ସର୍ବେଶ୍ଵର ବରେଇ, କୋଷାଧ୍ୟକ୍ଷ ଭାଗୀରଥି ପରିଡ଼ା, ସନ୍ତୋଷ ବିଶ୍ଵାଳ, ଶିକ୍ଷକ ଅଭୟ ଚରଣ ସାହୁ, କ୍ଷେତ୍ରବାସୀ ଆଳୁକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ଦେଇଥିଲେ । ଭାରତ ଇତିହାସରେ ସ୍ଥାନିତ ହୋଇଥିବା ଏହି ପବିତ୍ର ପୀଠର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରି ଖୋଲାଛାତ ଓ ପ୍ରାର୍ଥନା ମଣ୍ଡପ ସହ ଗାନ୍ଧୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ସମାପନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ ଆଗେଇବାକୁ ସରକାରୀ କଳଙ୍କୂ ନିବେଦନ କରାଯାଇଛି । ଗାନ୍ଧୀ ପୀଠରେ ସର୍ବଧର୍ମ ପ୍ରାର୍ଥନା କରାଯାଇ ରାମଧୂନ୍ ଗାନ କରାଯାଇଥିଲା । ଶେଷରେ ଅଭୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.