ବ୍ରହ୍ମପୁର : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ୟୋେନା ଆପ୍ ଅପଡେଟ୍ ନାଁରେ ଆଉ ଏକ ଠକେଇ ସାମ୍ନାକୁ ଆସିଛି । ଅପଡେଟ୍ ବାହାନାରେ ସାଇବର ଠକମାନେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଛନ୍ତି । ଲାଞ୍ଜିପଲ୍ଲୀ କେଶବନଗରରେ ରହୁଥିବା ନରସିଂହ ମହାନ୍ତିଙ୍କ ମୋବାଇଲକୁ କିଛି ଦିନ ତଳେ ଏକ ମେସେଜ ଆସିଥିଲା । ତାଙ୍କ ଏସ୍ବିଆଇ ୟୋନୋ ଆପ ବ୍ଲକ୍ ହୋଇଯାଇଛି ବୋଲି ଉକ୍ତ ମେସେଜରେ ଲେଖା ହୋଇଥିଲା । ପାନ କାର୍ଡ ଦାଖଲ କରି କେୱାଇସି ଅପଡେଟ କରିବାକୁ ଏଥିରେ କୁହାଯାଇଥିଲା । ମେସେଜରେ ଦିଆଯାଇଥିବା ଲିଙ୍କ କ୍ଲିକ କରି ୟୋନା ଆପ୍ ଅପଡେଟ କରିବାକୁ କୁହାଯାଇଥିଲା । ସେହିକ୍ରମରେ ନରସିଂହ ନିଜ ଏସ୍ବିଆଇ ଆକାଉଣ୍ଟ ସହ ଜଡିତ ଥିବା ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଆଇଡି ଓ ପାସୱାର୍ଡ ଦେଇଥିଲେ । ଏହାପରେ ତାଙ୍କ ଷ୍ଟେଟବ୍ୟାଙ୍କ ଓଡି ଲୋନ୍-ଆକାଉଣ୍ଟ(ଋଣ ଆକାଉଣ୍ଟ)ରୁ ପ୍ରଥମେ ୨୫୦୦୦ ଟଙ୍କା କଟିଯାଇଥିଲା । ଏହାର କିଛି ସମୟ ପରେ ପୁଣି ତାଙ୍କ ଆକାଉଣ୍ଟର ୫୦୦୦ ଟଙ୍କା କଟିଯାଇଥିଲା । ଏହାପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣଙ୍କ ଷ୍ଟେଟବ୍ୟାଙ୍କ କଷ୍ଟମର କେୟାରରୁ କହୁଛି ବୋଲି ଜଣାଇବା ସହ ଟଙ୍କା କଟିବା ବିଷୟରେ ଆଲୋଚନା କରିଥିଲା । ଟଙ୍କା ଫେରି ପାଇବାକୁ ହେଲେ ନରସିଂହଙ୍କ ମୋବାଇଲକୁ ଯାଇଥିବା ଓଟିପି ଦେବାକୁ ସେହି ବ୍ୟକ୍ତି ଜଣଙ୍କ କହିଥିଲେ । ଟଙ୍କା ଫେରି ପାଇବା ଆଶାରେ ନରସିଂହ ନିଜ ମୋବାଇଲକୁ ଆସିଥିବା ଓଟିପି କହି ଦେଇଥିଲେ । ଏହାପରେ ନରସିଂହଙ୍କ ମୂଳ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୪୯ ହଜାର ୯୯୯ ଟଙ୍କା କଟିଯାଇଥିଲା । ତା’ପରେ ପୁଣି ୪୫୦୦୦ ଟଙ୍କା କଟିଯାଇଥିଲା । ଏହିପରି କିଛି ସମୟ ଭିତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଏହିପରି ଉପାୟରେ ସାଇବର ଠକମାନେ ଲୋନ ଆକାଉଣ୍ଟରୁ ୩୦ ହଜାର ଓ ମୂଳ ଆକାଉଣ୍ଟରୁ ୧ ଲକ୍ଷ ୬୦ ହଜାର ମିଶାଇ ମୋଟ ୧ ଲକ୍ଷ ୯୦ ହଜାର ଟଙ୍କା ନେଇଯାଇଥିଲେ । ଏ ନେଇ ନରସିଂହ ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଜାତୀୟ ସାଇବର କ୍ରାଇମ ସୂଚନା କେନ୍ଦ୍ର ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ବୁଧବାର ଦିନ ସେ ଏହି ଠକେଇ ସମ୍ପର୍କରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା(କେସ ନଂ ୩/୨୪)ଏକ ମାମଲା ରୁଜୁ ହୋଇଛି ।
Prev Post