- ୫ରୁ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ
କଟକ : ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ଜାନୁଆରୀ ୧୨ ତାରିଖରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍ ଏବଂ ଦ୍ୱିତୀୟ ପେପର୍ ଉକ୍ତ ତାରିଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ପରୀକ୍ଷା ଲାଗି ଜାନୁଆରୀ ୫ ତାରିଖରୁ ବୋର୍ଡ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍ସାଇଟ୍ରେ ନିଜ ରେଜିଷ୍ଟ୍ରେସନ୍ ନମ୍ବର କିମ୍ବା ଇମେଲ୍ ଆଇଡି ଦ୍ୱାରା ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରୀକ୍ଷା ଲାଗି ପ୍ରାର୍ଥୀମାନେ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ । କପି ଏବଂ ସେଣ୍ଟରରେ ପ୍ରୀୟାପ୍ରିତିକୁ ନଜରରେ ରଖି ଉକ୍ତ ନିଷ୍ପତ୍ତି ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଏହି ପରୀକ୍ଷା ଲାଗି ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୩ ଥିଲା । ମାତ୍ର ଉକ୍ତ ପରୀକ୍ଷାରେ କେତେକ ବିଷୟ ସାମିଲ୍ କରିବାକୁ ନେଇ ପରୀକ୍ଷାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଏସ୍ଏସ୍ଟିଇଟି ପେପର-୧ ରେ କଳା (ଟିଜିଟି ଆର୍ଟସ)ରେ କମ୍ୟୁନିକେଟିଭ୍ ଇଂଲିସ୍ ଏବଂ ବିଜିନେସ୍ ଇକୋନୋମିସ୍ ଅନ୍ତର୍ଭୁକ୍ତ କରିଥିଲା । ସେହିପରି ବିଜ୍ଞାନ (ଟିଜିଟି ସାଇନ୍ସ ତଥା ସିବିଜେଡ୍)ରେ ଲାଇଫ୍ ସାଇନ୍ସ ବିଷୟ ଅର୍ନ୍ତଭୁକ୍ତ କରିଥିଲା ।
ଅନ୍ୟପକ୍ଷରେ ପେପର-୨ରେ ସେକେଣ୍ଡାରୀ ସ୍କୁଲ୍ ଖେଳ ଶିକ୍ଷକ ଲାଗି ହେଉଥିବା ଯୋଗ୍ୟତା ପରୀକ୍ଷାରେ ପୂର୍ବରୁ କେବଳ ସିପିଇଡି ଯୋଗ୍ୟତାଧାରୀଙ୍କ ପରି ଡିପିଇଡି ଯୋଗ୍ୟତାଧାରୀ ମଧ୍ୟ ଏହି ପରୀକ୍ଷା ଲାଗି ଆବେଦନ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେବା ପରେ ଉକ୍ତ ଆବେଦନ ପ୍ରକ୍ରିୟା ଶେଷ ତାରିଖ ଥିବା ୨୩କୁ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ୧୫୦ ମାର୍କ ବିଶିଷ୍ଟ ଏହି ପରୀକ୍ଷା ଲାଗି ଫର୍ମପୂରଣ ସମୟକୁ ପୁଣି ବଢ଼ାଇ ଦିଆଯାଇଥିବାରୁ ଏବଂ ନୂତନ ବିଷୟ ସହ ପେପର-୨ ରେ ଶିକ୍ଷାଗତ ଯୋଗ୍ୟତା ସାମିଲ୍ ହେବା ପରେ ଅନେକ ଆଶାୟୀ ଆବେଦନର ସୁଯୋଗ ପାଇପାରିବେ ବୋଲି ଜଣାଯାଇଛି । ଏହି ପରୀକ୍ଷାରେ ପାସ୍ ମାର୍କ ସାଧାରଣ ବର୍ଗଙ୍କ ଲାଗି ୪୫% ମାର୍କ ରହିଥିବା ବେଳେ ଏସ୍ସିଏସ୍ଟିଙ୍କ ଲାଗି ୩୫% ଧାର୍ଯ୍ୟ କରାଯାଇଛି ।