ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଇପାସ୍ ନିକଟରେ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ରାଜପଥ ତଳକୁ ଓଲଟି ପଡିଥିବା ଜଣାପଡିଛି । ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୬୫ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ, ଡବ୍ଲ୍ୟୁ ବି-୨୯ ବି ୩୪୩୨ ନମ୍ବର ବିଶିଷ୍ଟ ରାଜଧାନୀ ନାମକ ଏକ ତୀର୍ଥଯାତ୍ରୀ ବସ୍ ୭୦ ଜଣ ଯାତ୍ରୀଙ୍କୁ ନେଇ ଜଗନ୍ନାଥ ଦର୍ଶନ କରାଇ ପଶ୍ଚିମବଙ୍ଗର ପାଞ୍ଚକୁଡା ଅଭିମୁଖେ ଆସୁଥିଲା । ସୋମବାର ଭୋର୍ ସମୟରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ବସ୍ ଭିତରେ ଥିବା ତୀର୍ଥଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ବସ୍ତା ପୁଲିସ ଓ ବସ୍ତା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଛି । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲାଥିବା ଜଣାପଡିଛି । ଅନ୍ୟ ଏକ ବସରେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଜାରି ରଖିଛି ।
Prev Post
Next Post