- ମେଡିକାଲରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏ୍ସପି
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସକାଳ ଭୋର୍ ୫ଟା ବେଳେ ଭୁବନେଶ୍ୱରରୁ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଦେଇ ପଦ୍ମପୁର ଯାଉଥିବା ଜୟଭୋଲେ ବସ ଓଡି ୩୧ କେ-୯୦୯୯ ସିଂହିଯୁବା ବ୍ରିଜଠାରେ ଓଲଟିପଡି ଥିବାରୁ ବହୁଯାତ୍ରୀ ଗୁରୁତର ଆହତ ହେଇଥିବା ଖବର ମିଳିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ବିନିକା ଅଗ୍ନିଶମ ବିଭାଗ ଅଧିକାରୀ ତେଜରାଜ ସାହୁ ଓ ରାମପୁର ଅଧିକାରୀ ରଘୁ ବାଘଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣ ମହିଳା ଓ ୮ ଜଣ ପୁରୁଷ ଯାତ୍ରୀ ସମୁଦାୟ ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବିନିକା ମେଡିକାଲକୁ ପହଞ୍ଚାଇଥିବା ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ଦେଙ୍କ ଠାରୁ ଜଣାପଡ଼ିଛି । ଏହି ଖବର ପାଇ ସକାଳ ୬ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ବିନିକା ମେଡିକାଲକୁ ତୁରନ୍ତ ପହଞ୍ଚି ଆହତ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ରୋଗୀଙ୍କ ଉଚ୍ଚ ଚିକିତ୍ସା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଇଥିବା ଜଣାପଡ଼ିଛି । ତୁରନ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଆହତ ରୋଗୀଙ୍କୁ ଭେଟି ସାହସ ପ୍ରଦାନ ଓ ଚିକିତ୍ସା ଉପରେ ତତ୍ୱାବଧାନ କରିଥିବାରୁ ତାଙ୍କ ମହାନତାକୁ ଜିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।