ନାଲକୋ ନଗରର ରୋହିଣୀ ବିଶ୍ୱାଳ ପାଇଲେ ଓଜେଏସ୍‌

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ପ୍ରକାଶିତ ଓଜେଏସ୍‌- ୨୦୨୧ ଫଳ ପ୍ରକାଶ ପାଇଛି । ଏଥିରେ ୫୦ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୋଳ ଜିଲ୍ଲାର ନାଲକୋ ନଗରର ରୋହିଣୀ ବିଶ୍ଵାଳ ୩୫ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ୧୯୯୪ ମସିହାରେ ଜନ୍ମଗ୍ରହଣ କରିଥିବା ରୋହିଣୀ ନାଲକୋ ନଗରର ବାସିନ୍ଦା ରଙ୍ଗ ବଲ୍ଲଭ ବିଶ୍ୱାଳ ଏବଂ ରଂଜନା ବିଶ୍ୱାଳଙ୍କ କନ୍ୟା, ଗୋପାଳ ନାୟକଙ୍କ ଧର୍ମପତ୍ନୀ ଅଟନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରୋହିଣୀ ଛୋଟ ବେଳରୁ ଥିବା ତାଙ୍କର ଲୁକ୍କାୟିତ ପ୍ରତିଭା ପ୍ରମାଣିତ କରି ସାରିଛନ୍ତି । ଛୋଟ ବେଳରୁ ପାଠ ପଢିବାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ରୋହିଣୀ ଶେଷରେ ତାଙ୍କ ପରିଶ୍ରମର ଫଳ ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ୨୦୧୨ ମସିହାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷାରେ ରୋହିଣୀ ୧୪ତମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି । ୨୦୧୫ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ +୩ ପରୀକ୍ଷାରେ ଇଂରାଜୀ ଅନର୍ସରେ ୮ମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ରୋହିଣୀ, ୨୦୧୮ ମସିହାରେ ଏଲ୍‌ଏଲ୍‌ବିରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଥିବା ବେଳେ ସର୍ବ ଭାରତୀୟ ସ୍ତରରେ ଗଳ୍ପ ଏବଂ କବିତା ପ୍ରତିଯୋଗିତାରେ ସମ୍ମାନିତ ହୋଇସାରିଛନ୍ତି । ୨୦୨୦ରେ ଏଲ୍‌ଏଲ୍‌ଏମ୍‌ ପୂର୍ଣ୍ଣ କରିଥିବା ରୋହିଣୀ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ପ୍ରକାଶ କରିଛନ୍ତି ।ସବୁ ବେଳେ ଏକାଗ୍ରତା ସହିତ ପରିଶ୍ରମ କରିବା ସହିତ କେବେବି ଆଶା ହରାଇବା ଠିକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ଏବଂ ବିଫଳତା ହିଁ ସଫଳତାର ପ୍ରଥମ ପାହାଚ ବୋଲି ସେ କହିଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ ସ୍ୱାମୀ, ପିତା, ମାତା, ଶାଶୁ, ଶ୍ବଶୁର, ଜେଜେ ବାପା, ଜେଜେ ମା, ମାମୁଁ, ମାଇଁ, ସୂଚନ୍ଦନା ମ୍ୟାଡାମ, ଆଦିତ୍ୟ ସାର ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହପାଠୀଙ୍କୁ ଦେଇଛନ୍ତି । ସଦାସର୍ବଦା ନିଷ୍ଠାର ସହିତ କାମ କରିବା ସହ ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ସେ ସମସ୍ତ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

error: Content is protected !!