ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଆଜି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ପଦ୍ମପୁର ଉପଖଣ୍ଡକୁ ଗସ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଥମେ ପଦ୍ମପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ନ୍ୟୁଟ୍ରିସନ୍ ସେଣ୍ଟର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ସେଠାରେ ଅନ୍ତେବାସୀ ରୋଗୀମାନଙ୍କ ପାଇଁ ଖାଦ୍ୟର ମାନ ପରଖିବା ପରେ ସେ ଅନ୍ତେବାସୀ ରୋଗୀମାନଙ୍କ ଅସୁବିଧା ପଚାରି ବୁଝିଛନ୍ତି । ସେସବୁ ସମସ୍ୟାର ସମାଧାନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଇକମାଲ ବ୍ଲକ୍କୁ ଗସ୍ତ କରି ଶ୍ରୀ ସାହୁ ଲୋକମାନଙ୍କ ସହ ସିଧାସଳଖ ଭାବରେ ଆଲୋଚନା କରିଛନ୍ତି । ଖାଦ୍ୟ ସୁରକ୍ଷା ସୁବିଧାରୁ ବଞ୍ଚିତ ଲୋକଙ୍କ ମାନଙ୍କଠାରୁ ସେ ସିଧାସଳଖ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଅନେକ ପଞ୍ଚାୟତ ସମିତି ଓ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧିମାନେ ମଧ୍ୟ ଭେଟିଥିଲେ ଓ ଜନସାଧାରଣଙ୍କୁ କିପରି ସିଧାସଳଖ ଭାବରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ଲାଭ ପହଞ୍ଚା ଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ତାପରେ ଶ୍ରୀ ସାହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଲକୁ ଗସ୍ତ କରି ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ବିଷୟରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଗସ୍ତ ସମୟରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ରହିଥିଲେ ଓ ଶ୍ରୀ ସାହୁ ଯେଉଁ ସବୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାଶାସନିକ ସ୍ତରରେ ସେସବୁକୁ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ।
Prev Post