କଳାହାଣ୍ଡି କିସ୍‌ ବିଦ୍ୟାଳୟରେ ୯୦ତମ ଓଡିଶା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସାରା ରାଜ୍ୟରେ ଧୂମଧାମରେ “ଓଡ଼ିଶା ଦିବସ” ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି କିସ୍, ବାଦିଲି ପରିସରରେ ୯୦ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯାଇଛି । କିସ୍ ବିଦ୍ୟାଳୟର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଉପ କୁଳପତି ଡକ୍ଟର ନିବେଦିତା ନାଥ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଓଡିଶା ଦିବସର ଯଥାର୍ଥତାକୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ । ଏହା ସହ ଡକ୍ଟର ଶ୍ରୀମତୀ ନାଥ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନର ଭୁୟସୀ ପ୍ରଶଂସା କରିବା ସହ ଉପସ୍ଥିତ ୮୧୪ ଜଣ ଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ନିଜ ମାତୃଭାଷା ଓ ମାତୃଭୂମିର ସମ୍ମାନ ବଜାୟ ରଖିବା, ଭଲ ମଣିଷ ହେବାପାଇଁ ପ୍ରେରଣା ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଓଡିଶା ପ୍ରଦେଶ ଗଠନ ପାଇଁ ଉତ୍କଳର ବରପୁତ୍ର ମାନଙ୍କ ଭୂମିକାକୁ ସ୍ମରଣ କରିଥିଲେ । ସେଭଳି ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ଭାଷାର ଆବଶ୍ୟକତା ଥିଲେ ମଧ୍ୟ ମାତୃଭାଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଇଜଣ ଛାତ୍ରୀ ଓଡିଶା ଦିବସ ସମ୍ପର୍କରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିବା ସହ ଚମତ୍କାର ଭାବେ ପିରାମିଡ଼ ପ୍ରଦର୍ଶନ କରିଥିଲେ । ପ୍ରଥମେ ଅତିଥୀ ମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ମହାପୁରୁଷ ମାନଙ୍କ ପ୍ରତିଛବିରେ ପୁଷ୍ପ ଅର୍ପଣ କରାଯାଇଥିଲା । ଅତିଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡା, ଜ୍ୟୋତିର୍ମୟୀ ରଣା, ତୁଳସୀ ପ୍ରସାଦ ଶବର, ରଶ୍ମିତା ପଟ୍ଟନାୟକ, ସୃଷ୍ଟି ସ୍ଵାଗତିକା ଭୋଇ ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.