
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସୋବାର ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥବା ଜଣାପଡିଛି । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆ ବର୍ଗଙ୍କୁ ଅଣଦେଖା କରିବା, ଜିଲ୍ଲାର ୧୩୧ ଗୋଟି ଗ୍ରାମପଂଚାୟତ ମଧ୍ୟରୁ ମାତ୍ର ୪ ଗୋଟି ଗ୍ରାମ ପଂଚାୟତରେ ପଛୁଆ ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ହୋଇଥିବା ପ୍ରତିବାଦରେ ଆଜି ଓବିସି ମଞ୍ଚ ପକ୍ଷରୁ ନୂଆପଡ଼ା ସଦର ଏକତା ଛକଠାରେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହି ବନ୍ଦରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ନୂଆପଡ଼ା, କୋମନା, ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ବନ୍ଦରେ ଓବିସି ମଞ୍ଚ ନୂଆପଡା ଜିଲ୍ଲା ଆବାହକ ବିରେନ୍ଦ୍ର ପ୍ରଧାନ, ଖଡ଼ିଆଳ ଆବାହକ ଜଗବନ୍ଧୁ ବାରିକ, ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବିଜେପି ସାଧାରଣ ସମ୍ପାଦକ ରାତ୍ରନନ୍ଦ ମନହୀରା, ଶ୍ରମିକ ନେତା ଲାଲୁ ଦଣ୍ଡସେନା ତଥା ଶତାଧିକ ଓବିସି କର୍ମକର୍ତ୍ତା ଯୋଗ ଦେଇଥିଲେ ।