କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୨୦୨୪ ବର୍ଷକୁ ବିଦାୟ ତଥା ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ୱପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ଶିଶୁ ମାନଙ୍କ ସହିତ କିଛି ମୁହୂର୍ତ୍ତ ରହି ନୂତନ ବର୍ଷ ୨୦୨୫କୁ ସ୍ଵାଗତ ଜଣାଇଥିଲେ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ନୂଆବର୍ଷର ପ୍ରଥମ ସକାଳରେ ଭବାନୀପାଟଣା ସ୍ଥିତ ନେହେରୁ ସେବା ସଂଘ ଓ ବାଳଗୋପାଳ ସେବା ନିକେତନରେ ଶିଶୁ ମାନଙ୍କ ଗହଣରେ କିଛିନୂତନ ବର୍ଷ ପାଳନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ପିଲାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ଆହ୍ଵାନ ଦେଇଥିଲେ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ନବବର୍ଷରେ ଶିଶୁ ଯତ୍ନ ଅନୁଷ୍ଠାନର ପିଲାଙ୍କ ସହିତ ନିଜର ବହୁମୂଲ୍ୟ ସମୟ ଦେଇ ତାଙ୍କୁ ଉତ୍ସାହିତ କରିଥିବାରୁ ଏହି ଦୁଇଟି ଅନୁଷ୍ଠାନର କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ । ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରୁପେଶ କୁମାର ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅନ୍ୟ କର୍ମକର୍ତ୍ତା ଅଂଶୁମାନ ବାବୁ ଓ ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ନବର୍ଷରର ଶୁଭେଛା ଜଣାଇବା ସହିତ ପିଲାମାନେ ଭଲ ପାଠପଢି ଗୁରୁଜନଙ୍କ କଥା ମାନି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ବାଲ ଗୋପାଳ ସେବାନିକେତନର ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିଲେ ।