
- ବ୍ୟବସ୍ଥାରେ ଥିବା ବିଫଳତା ସମାଜସେବୀଙ୍କ ଦ୍ୱାରା ପୁରଣ ହୋଇଥାଏ – ସମରେନ୍ଦ୍ର
- ଏହି ଭେଟଘାଟ ବିଭିନ୍ନତା ଭିତରେ ଏକତାର ବାର୍ତ୍ତା ଦେଉଛି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଭିମାନ ପରିବାରର ନୂଆଁଖାଇ ଭେଟ୍ଘାଟ୍ ନିଶ୍ଚିତ ଭାବରେ ସମାଜକୁ କିଛି ନୂତନ ବାର୍ତ୍ତା ଦେବେ । ଏହି ପରିବାର ଦୀର୍ଘବର୍ଷରୁ ସମାଜସେବାରେ ବ୍ରତି ଅଛନ୍ତି । ଯେତେବେଳେ ସରକାରୀ କଳରେ ଅବ୍ୟବସ୍ଥା କିମ୍ବା ବ୍ୟବସ୍ଥାରେ କମି ରହିଯାଏ ସେତେବେଳେ ଏହି ସମାଜସେବା କରୁଥିବା ଭାଇଭଉଣୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ସ୍ୱାଭିମାନ ପରିବାର ଭଳିଆ ସଂଗଠନମାନେ ଏହି ବ୍ୟବସ୍ଥାରେ ଥିବା କମିକୁ ପୁରଣ କରିଥାନ୍ତି । ଏହା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ କାମ ବୋଲି ଆଜି ବଲାଙ୍ଗିରର ସମାଜସେବୀ ସଂଗଠନ ସ୍ୱାଭିମାନ ପରିବାର ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ଘାଟ୍ ଓ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଯୁବନେତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏ ଅବସରରେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଚାଲିଥିବା ଅସହିଷ୍ଣୁତା ଓ ଘୃଣା ରାଜନୀତି ଯୋଗୁଁ ଦେଶ ବହୁତ ବଦନାମ ମୁଣ୍ଡେଇଲାଣି । ଏପରି ରାଜନୀତିକୁ ଆମ ଯୁବ ସମାଜ ପ୍ରତ୍ୟାଖାନ କରିବା ଉଚିତ୍ । ସଂଗଠନ ସଂପାଦକ ରିକୁନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ସମାଜସେବୀ ତଥା ଡାକ୍ତର ଶଙ୍କର ରାମଚନ୍ଦାନି, ଚଳଚ୍ଚିତ୍ର ଅଭିନେତା ରତନ ମେହେର, ଆକବର ଖାନ, ଟୁନା ମିଶ୍ର, ଜିତୁ ମିଶ୍ର, ରମାକାନ୍ତ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଆଜିର ମଂଚରେ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଯୁବନେତା, ସମାଜସେବୀ, ଚଳଚ୍ଚିତ୍ର ଅଭିନେତା, କଳାକାର, ସାମାଜିକ କର୍ମୀ ଏପରି ସମସ୍ତ ବର୍ଗରୁ ବିଶିଷ୍ଟ ବ୍ୟକ୍ତିମାନେ ମଂଚାସିନ ହୋଇଥିବାରୁ ନୂଆଁଖାଇର ପ୍ରକୃତ ବାର୍ତ୍ତା ଭାଇଜାରା ଓ ବିଭିନ୍ନତା ଭିତରେ ଏକତା ପ୍ରମାଣିତ ହେଉଛି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ସ୍ୱାଭିମାନ ପରିବାର ଆଗାମୀ ଦିନରେ କିପରି ଆହୁରି ସୁଦୃଢ ହେବ ଓ ସମାଜସେବା କ୍ଷେତ୍ରରେ କେବଳ ବଲାଙ୍ଗିର ଜିଲ୍ଲା ନୁହେଁ ସାରା ରାଜ୍ୟରେ ନା କରିବ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଗୋଷ୍ଠିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସଭା ପରେ ଆୟୋଜକ ଓ ବିଭିନ୍ନ ସାଂସ୍କୃତିକ ଦଳ ତରଫରୁ ବିଭିନ୍ନ ରଙ୍ଗାରଙ୍ଗ ମନୋରଂଜନ ଅନୁଷ୍ଠିତ ହୋଇ ଉପସ୍ଥିତ ଜନତାଙ୍କ ମନୋରଂଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାଭିମାନ ପରିବାରର ସଦସ୍ୟ ସଂଜିବ ସାହୁ, ଯୋଗେଶ ସାହୁ, ଆଶିଷ ଶତପଥି, ସୁବାଷ ମଟାରୀ, ବାଲଗୋପାଳ ମିଶ୍ର, ଜ୍ୟୋତି ପଟେଲ, ସ୍ୱରଭ ବିଶ୍ୱାଲ ପ୍ରମୁଖ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିଥିବା ବେଳେ ସଂଗଠନର ସଭାପତି ରମ୍ୟରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।