jayashree

ଫଲସାମାଲରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଫଲସାମାଲ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ସଂଘର ବ୍ଲକ ସଭାପତି ଦଶରଥ ଛତ୍ରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏଥିସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ଆଦିବାସୀ ସଶକ୍ତିକରଣ ଯୋଜନା, ମହିଳା ସଶକ୍ତିକରଣ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ନକଲି ଆଦିବାସୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ସମ୍ବଲପୁର ରାଜସ୍ୱ କମିଶନର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଥିଲା । ଅଣ ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ଗୁଡିକରେ ସିଟର ଅଭାବ ହେଉଥିବାରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା ସହିତ କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କରିବା, ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀଙ୍କୁ ଆବାସ ପ୍ରଦାନ, ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନୁମୋଦନ କରିବା, ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି ତଥା ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ବଲାଙ୍ଗିର ବ୍ଲକ ସଭାପତି ପାଲେଶ୍ୱର ଭୋଇ, ପାଟଣାଗଡ ବ୍ଲକ ସମ୍ପାଦକ ସାରଥୀ ବାଗ, ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ମଞ୍ଚାସିନ ଥିଲେ । ଗିରିଧାରୀ ଭୋଇ, ଜଳଧର ଧରୁଆ, ମୁରଲୀ ଧରୁଆ, ଗିରିଧାରୀ ବରିହା, ଗୋପାଳ ପ୍ରଧାନଙ୍କ ସମେତ ବ୍ଲକର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.