ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୧ ଅନୁଷ୍ଠିତ : ପଶ୍ଚିମାଞ୍ଚଳର ନୃତ୍ୟ ସଙ୍ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍‌- ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଂଶ ଗ୍ରହଣ କରିଥିବା ନୃତ୍ୟ ଗୁରୁଙ୍କୁ ଓ ଦଳକୁ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି । ଦୀପ ପ୍ରଜ୍ୱଳନ ସହ ଶୁଭ ଉନ୍ମୋଚନ ପରେ ଶିକ୍ଷାବିତ ତୁଳସୀ ରାମ ମେହେର ପଶ୍ଚିମାଞ୍ଚଳ ଭାଷାରେ ସ୍ୱାଗତ ବିବରଣୀ ଓ ନୂଆଁଖାଇ ଜୁହାର ସମ୍ବନ୍ଧେ ସମ୍ୟକ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍, ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ପୂର୍ବକ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଶହସ୍ରାଧିକ ସୁଧିବୃନ୍ଦ ପଶ୍ଚିମାଞ୍ଚଳର ନୃତ୍ୟ ସଙ୍ଗୀତରେ ଝୁମି ଉଠିଥିଲେ । ସମସ୍ତଙ୍କୁ ଏହି ନାଚଗୀତ ତାଳରେ ମନ୍ତ୍ର ମୁଗ୍ଧ ଆଣିଦେଇଛି । ରାଜ୍ୟ ସଂସ୍କୃତି ବିଭାଗର ପ୍ରୋଗ୍ରାମ କୋଡ଼ିନେଟର ଅମୀୟ କୁମାର ଧଳ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିଲେ । ଅଗ୍ରଣୀ ସଂଗଠନ ଛତ୍ରପୁର କଳା ବିକାଶ କେନ୍ଦ୍ର ଏହି ମଞ୍ଚ ମହଲରେ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ଛତ୍ରପୁରର ଡ୍ରିମ ଡେନ୍ସ ଏକାଡେମୀ, ପ୍ରଗତିକଳା କେନ୍ଦ୍ର, ପ୍ରମୁଖ ବହୁ କଳା ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସୂଚନା ଥାଉକି, ଗଞ୍ଜାମ ଜିଲ୍ଲାରେ କରୋନାର ଦୁର୍ବିପାକ ହେତୁ ଦୀର୍ଘ ଦୁଇବର୍ଷ ଧରି କୌଣସି ସାଂସ୍କୃତିକ ସମାରୋହ ଆୟୋଜନ ହୋଇପାରିନଥିଲା । ତେଣୁ ଏହି କାର୍ଯ୍ୟକ୍ରମର ଆୟୋଜନରେ ଦର୍ଶକଙ୍କୁ ଅନେକ ଉତ୍ସାହ ଆଣିଦେଇଛି । ଦର୍ଶକ ମନ ଭରି ଆନନ୍ଦ ଉପଭୋଗ କରିଥିଲେ ।

Leave A Reply

Your email address will not be published.