ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ -୨୦୨୧ କାର୍ଯ୍ୟକ୍ରମ ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଭୋଜରାଜ ବାଗଙ୍କ ଆହ୍ୱାନରେ ଝାରବନ୍ଧ ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଶ୍ରୀ ବାଗଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ଗଣ୍ଡା ସମାଜର ବିକାଶ ତଥା ଗଣ୍ଡାବଜା ବଜନିଆ ଏବଂ ସମସ୍ତ ବର୍ଗର କଳାକାରଙ୍କ କଳାକାର ଭତ୍ତା ଓ ହକ୍ ଅଧିକାର ବିଷୟରେ ସମାଜର କର୍ମକର୍ତ୍ତା ମାନେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତିଙ୍କ ହକ୍ ଓ ଅଧିକାର ବିଷୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ୧୫୦ ଜଣ ଗଣ୍ଡାବଜା କଳାକାର(ବଜନିଆଁ), କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଯୋଗ୍ୟତା ଥିବା କଳାକାରଙ୍କ କଳାକାର ଭତ୍ତା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବ କଳାକାର ହର୍ଷବର୍ଦ୍ଧନ ଲୁହାର, ବୃନ୍ଦାବନ ତାଣ୍ଡି ସଂଯୋଜନା କରିଥିଲେ । ଆଇନଜୀବୀ ସରୋଜ ସୁନା, ଗୋପବନ୍ଧୁ ଶିକା, ଗୋବର୍ଦ୍ଧନ ଛତର, ଯତିନ କହ୍ନେର, ଚନ୍ଦ୍ରହାସ୍ୟ ଜାଲ, ବିନୋଦ ବାଗ, ସାମନ୍ତ ଶେଖର ମୁନା, ରସିକ କୁମ୍ଭାର ପ୍ରମୁଖ ସମାଜର ଉନ୍ନତି ସାଧନ ନିମନ୍ତେ ନିଜର ମତାମତ ଉପସ୍ଥାପନ କରିଥିଲେ । ମାନପତ୍ର ବଣ୍ଟନରେ କଳାକାର ଜଗନ୍ନାଥ କୁମ୍ଭାର ସହଯୋଗ କରିଥିବା ବେଳେ ଶେଷରେ ଯୁବ ସାମ୍ବାଦିକ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ । ଝାରବନ୍ଧ ବ୍ଳକ ଲକ୍ଷେଘର ଗଣ୍ଡା ସମାଜର ସାଂଗଠନିକ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଉଛି ।

Leave A Reply

Your email address will not be published.