jayashree

ଓସାକା ହାଇଦ୍ରାବାଦ୍‌ର ପାରମ୍ପାରିକ ଶୈଳୀରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ବଂଜାରା ହିଲ୍‌ସ ସ୍ଥିତ କୁମ୍‌ରାମ ଭୀମୁ ଭବନଠାରେ ଆଠ ଅକ୍ଟୋବର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ମଧ୍ୟ ସହଯୋଗ କରାଯାଇଥିଲା । ପଶ୍ଚିମ ଓଡିଶାର ଆଦିବାସୀ ସଂସ୍କୃତିର ଝଲକ ସହ ଧର୍‌ତୀ ମାତା ପୂଜା ପାଇଁ ମହିଳାମାନଙ୍କ ଶୋଭାଯାତ୍ରା ବେଳେ ବିଶେଷ ଆକର୍ଷଣୀୟ ଥିଲା ପ୍ରଥମ ଥର ପାଇଁ “ଛତର୍‌” ପ୍ରଦର୍ଶନ । ମା’ ସମଲେଇ, ପାଟଣେଶ୍ୱରୀ, ମାଣିକେଶ୍ୱରୀ, ସୁରେଶ୍ୱରୀଙ୍କ ସମେତ ଇଷ୍ଟଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ତଳେ ବସି ପ୍ରାକୃତିକ ପତ୍ର ଖଲିରେ ନୂଆଁଖାଇ ଚୁରାକୁଣାଁ ପ୍ରସାଦ ସେବନ ଲୋକଙ୍କ ଭିତରେ ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ସମାନତାର ଭାବ ଭରି ଦେଇଥିଲା । ଓସାକାର ସଭାପତି ରାମକୃଷ୍ଣ ବାରିକଙ୍କ ପ୍ରାରମ୍ଭିକ ନୂଆଁଖାଇ ବାର୍ତା ପରେ ପରେ ଆଦିବାସୀ ଲୋକନୃତ୍ୟ ଘୁଡ୍‌କା, ଢାପ୍‌, ଡାଲ୍‌ଖାଇ ଆଦି ପରିବେଷଣ କରିଥିଲେ ଜାତୀୟସ୍ତରରେ ପୁରସ୍କୃତ ବଲାଙ୍ଗିରର ଦୁଲ୍‌ଦୁଲି କଳା ପରିଷଦ । ବରିଷ୍ଠ କଳାକାର ନବୀନ କୁଅଁରଙ୍କ କଣ୍ଠରେ ପୁରୁଣା ସମ୍ବଲପୁରୀ ଗୀତ ଲୋକଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା । ସମ୍ବଲପୁରରୁ ଆସିଥିବା ଯୁବ କଳାକାର ପଦ୍ମଶ୍ରୀ ଖଟେଇ, ପୁଷ୍ପରାଜ ସୁନା ଏବଂ ଚେତନାମୟୀ ବେହେରାଙ୍କ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ । ଏହି ଅବସରରେ ଓସାକାର ସ୍ମରଣୀକା “ମାଟିର ମହକ୍‌” ମଧ୍ୟ ଉନ୍ମୋଚିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ ବହୁମୁଖୀ ପ୍ରତିଭା ଅର୍ଜୁନ ସାହୁ ଏବଂ ଉଦୀୟମାନ କଳାକାର ମାନସୀ ସାହୁ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଧାରିତ କୁଇଜ ପ୍ରତିଯୋଗିତା ସହ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପାଇଁ ଷ୍ଟଲ ମଧ୍ୟ ଲାଗିଥିଲା । ଶିଶୁମାନଙ୍କୁ ଉତ୍ସାହିତ ପାଇଁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଇଥିଲା । ବରଗଡରୁ ଆସିଥିବା ଖାଦ୍ୟ ପ୍ରସ୍ତୁତି ଦଳ ଜୀବର୍ଦ୍ଧନ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରସ୍ତୁତ ପଶ୍ଚିମ ଓଡିଶାର ପାରମ୍ପାରିକ ଖାଦ୍ୟ ବେଶ୍‌ ପ୍ରଶଂସନୀୟ ହୋଇଥିଲା । ସମସ୍ତ କଳାକାର ଓ ସହଯୋଗୀଙ୍କୁ ଓସାକା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ ସମୟରେ ହୋଇଥିବା ସମ୍ବଲପୁରୀ ଗୀତର ନନ୍‌ଷ୍ଟଫ୍‌ ଧମାକାରେ ସମସ୍ତ ଦର୍ଶକଙ୍କ ନୃତ୍ୟ ଏକ ରେକର୍ଡ ସୃଷ୍ଟି କରିଥିଲା । ସକାଳ ଦଶଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ସାତ ଶହ ପରିବାର ଯୋଗ ଦେଇଥିଲେ । ଶେଷରେ ଓସାକାର ଉପସଭାପତି ଶଙ୍କର୍ଷଣ ସାହୁ ଏବଂ ସାଧାରଣ ସଂପାଦକ ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.