ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ନୂଆଁଖାଇ ସାମଗ୍ରୀ ଯୋଗାଇଲେ ସମାଜସେବୀ ଗୀତା ମିଶ୍ର

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହେବା ପରେ ସମଗ୍ର ଅଞ୍ଚଳରେ ଏବେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଦୋକାନ ବଜାରମାନଙ୍କରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ସମସ୍ତେ ସେଦିନ ନୂଆଁ ଖାଇବା ସହିତ ନୂଆଁ ପିନ୍ଧିବେ । ହେଲେ ଏହି ସବୁ ଭିତରେ ସମାଜର ଅବହେଳିତ ନିଷ୍ପେସିତ ହୋଇ ବିଭିନ୍ନ ଆଶ୍ରମ ମାନଙ୍କରେ ରହୁଥିବା ଅନ୍ତେବାସୀମାନଙ୍କ ବିଷୟରେ ଚିନ୍ତା କରିଛନ୍ତି ବରଗଡ଼ର ଜଣାଶୁଣା ବରିଷ୍ଠ ସମାଜସେବୀ ଗୀତା ମିଶ୍ର । ଶ୍ରୀମତୀ ମିଶ୍ର ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହେବା ପରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସମଲାଇ ପଦର ଗ୍ରାମରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ପାଇଁ ନୂଆଁଖାଇରେ ଆବଶ୍ୟକତା ପଡୁଥିବା ସମସ୍ତ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିଶେଷ କରି ସମସ୍ତ ମହିଳା ଅନ୍ତେବାସୀମାନଙ୍କ ପାଇଁ ଉନ୍ନତ ମାନର ସମ୍ବଲପୁରୀ ଶାଢ଼ୀ, ପୁରୁଷ ଅନ୍ତେବାସୀ ମାନଙ୍କ ପାଇଁ ଧୋତି ଗାମୁଛା, କୁର୍ତ୍ତା ଏହା ସହିତ ଅରୁଆ ଚାଉଳ, ମୁଗ, ତେଲ, ଲୁଣ, ଘିଅ, ଆଲୁ ବିଭିନ୍ନ ପନିପରିବା, କୁଲା ମାଟି ହାଣ୍ଡି, ଝାଡୁ ଇତ୍ୟାଦି ପ୍ରଦାନ କରିଛନ୍ତି । ଏହି ସମସ୍ତ ସାମଗ୍ରୀ ପାଇବା ପରେ ଅନ୍ତେବାସୀ ମାନେ ଖୁସି ବ୍ୟକ୍ତ କରିବା ସହିତ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲ ଏବଂ ସମାଜସେବୀ ସୁବ୍ରତ ବିର୍ତ୍ତିଆ ଉପସ୍ଥିତ ରହି ଶ୍ରୀମତୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ମମତା ମିଶ୍ର, କନକ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଣତ ବୟସରେ ଏପରି ସେବା କାର୍ଯ୍ୟ ଜାରି ରଖିଥିବାରୁ ଶ୍ରୀମତୀ ଗୀତା ମିଶ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

error: Content is protected !!