ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଜନୈକ ବୃଦ୍ଧା ବେରିସାସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ବଞ୍ଚିବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର । ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” ।

ସୂଚନା ଯୋଗ୍ୟ, ଭୁବନେଶ୍ୱରସ୍ଥିତ ବୁଦ୍ଧନଗର ଅଞ୍ଚଳର ବାସିନ୍ଦା ଏସ୍.ବେରିସାସ ଅପାୟା (୭୨ବର୍ଷ) ଦିନ ମଜୁରି କରି ଗୁଜୁରାଣ ମେଣ୍ଟାନ୍ତି । ଗତ ୨୦୦୨ମସିହାରେ ସେ କାମରେ ବାହାରକୁ ଯାଉଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାହାଣ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଡ଼ର ପାଦ ତଳକୁ କଟା ଯାଇଥିଲା । ସେ ସେବେଠାରୁ କେବେ ହେଲେ କୃତ୍ରିମ ଗୋଡ଼ର ବ୍ୟବହାର କରି ନଥିଲେ । ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ସେ ପୂର୍ବତନ କର୍ପୋରେଟର କିଶୋର ମହାନ୍ତିଙ୍କ ମାଧ୍ୟମରେ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର୍‌.ସି ସହିତ ସମନ୍ଵୟ ରକ୍ଷା କରି ବେରିସାସଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ପୂର୍ବତନ କର୍ପୋରେଟର ଶ୍ରୀ ମହାନ୍ତିଙ୍କ ସମେତ, ଯୁଗ୍ମ ସମ୍ପାଦକ ଶ୍ରୀ ସାମନ୍ତରାୟ (ଓଡ଼ିଶା-ମୋ ପରିବାର) ପ୍ରମୁଖ ଉପସ୍ଥିତ ଥିଲେ ।
କୃତ୍ରିମ ଗୋଡ଼ ପାଇବା ପରେ ବେରିସାସଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା- ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.