କେବଳ ପରିଦର୍ଶନ ନୁହେଁ, ଲୋକସେବା ବି : ଅଧିକାରୀଙ୍କୁ ନେଇ ମନହୀରା ଗାଁରେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ ପ୍ରତିନିଧିଙ୍କ ଗସ୍ତ କେବଳ ପରିଦର୍ଶନରେ ସୀମିତ ନ ରହି ଲୋକସେବା ପାଇଁ ଉତ୍ସର୍ଗିକୃତ ହେବା ଆବଶ୍ୟକ । ବିଭିନ୍ନ ଜନ ପ୍ରତିନିଧି ଜନସାଧାରଣଙ୍କ ହକ୍‌ ପାଇଁ ଲଢି ଅନେକ ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏସବୁ ଯୋଜନା ଥିବା ସତ୍ୱେ ଲୋକେ ଅନେକ ଯୋଜନାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ସମୟରେ ସରକାର ଓ ସରକାରୀ କଳର ଅପାରଗତା ଯୋଗୁଁ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରୁ ନ ଥିବା ଲକ୍ଷ୍ୟ କରାଯାଏ । ଏଭଳି ସ୍ଥିତିରେ ନିର୍ବାଚିତ ଜନ ପ୍ରତିନିଧିଙ୍କ କୌଣସି ଅଂଚଳ ପରିଦର୍ଶନ କେବଳ ପରିଦର୍ଶନରେ ସୀମିତ ନହୋଇ, ସେ ଅଂଚଳ ଓ ଅଂଚଳବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିଲେ ଏହା ଲୋକସେବାରେ ପରିଣତ ହୁଏ ବୋଲି କହିବା ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ମନହୀରା ଗ୍ରାମ ପରିଦର୍ଶନ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଗ୍ରାମବାସୀମାନେ କହିଛନ୍ତି । ତେବେ ବିଗତ କିଛି ସମୟ ହେବ ବିଧାୟକ ଶ୍ରୀ ମିଶ୍ର ତାଙ୍କ ପରିଦର୍ଶନରେ ସରକାରୀ କଳ ବଳ ଧରି ବିଭିନ୍ନ ଗ୍ରାମରେ ପହଞ୍ଚୁଥିବା ଦେଖା ଯାଉଛି । ଫଳରେ ଅଂଚଳବାସୀ ତାଙ୍କ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇ ପାରୁଥିବା ବେଳେ ବିଧାୟକଙ୍କ ନିଆର ଢଙ୍ଗ ବେଶ ପ୍ରଭାବଶାଳୀ ହେଉଥିବା ଦେଖାଯାଉଛି ।

ସେହିପରି ଗତକାଲି ବଲାଙ୍ଗିର ବ୍ଲକ ସ୍ଥିତ ମନହୀରା ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବ୍ଲକର ସମସ୍ତ ଅଧିକାରୀ ତଥା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ନେଇ ଗସ୍ତ କରିଥିଲେ । ଏହି ଗସ୍ତରେ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ଏ.ବି.ଡି.ଓ ରାମଦତ୍ତ ଭୋଇ ଏବଂ ଉଭୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପହଞ୍ଚୁ ପହଞ୍ଚୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗାଁରେ ଲୋକେ ଯେପରି ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ଗରିବଙ୍କ ବାସଗୃହ, ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ କାର୍ଡ, ବିଧବା ଭତ୍ତାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ ନ ରହିବେ, ସେ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଫଳରେ ବିଧବା, ବିକଳାଙ୍ଗ ଭତ୍ତା ପାଇଁ ସେଠାରେ ଉପସ୍ଥିତ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତୁରନ୍ତ ଘରକୁ ଘର ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ । ସେଠାରେ ସେ ବିଧବା, ବିକଳାଙ୍ଗ ଭତ୍ତା ପାଇଁ ୧୦ଜଣ ହିତାଧିକାରୀଙ୍କୁ ଚୟନ କରିଥିଲେ । ଠିକ ସେହିପରି ବ୍ଲକ ସ୍ତରୀୟ ଅଧିକାରୀମାନେ ଗରିବଙ୍କ ପାଇଁ ମାଗଣା ବାସଗୃହ ଯୋଜନାରେ ଆଉ କେହି ବାକି ରହିଯାଇଛନ୍ତି, ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସରକାରୀ ଯୋଜନା ଅନ୍ତର୍ଗତ ଗାଈ ଗୁହାଳ ପାଇଁ ମଧ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତାଛଡା ଗାଁରେ ପିଇବା ପାଣି ସମସ୍ୟା ଓ ଆବାସ ଯୋଜନାରେ ଯେଉଁମାନେ ଚୁଡାନ୍ତ ବିଲ ପାଇବାରୁ ବଞ୍ଚିତ ହୋଇଛନ୍ତ, ତା ଉପରେ ଶୀଘ୍ର ଧ୍ୟାନ ଦେବାକୁ ଆରଡବ୍ଲୁଏସ୍‌ଏସ୍ ଯନ୍ତ୍ରୀ ପ୍ରଦୀପ ମହାପାତ୍ର ଓ ଉପସ୍ଥିତ ଏବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀଙ୍କୁ ସହୃଦୟତାର ସହ ସମସ୍ତ ହିଧିକାରୀମାନଙ୍କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏହି ଗସ୍ତରେ ଅଧିକାରୀଙ୍କ ବ୍ୟତୀତ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ବରିଷ୍ଠ ନେତା ରାମ ମିଶ୍ର, ବ୍ଲକ ପ୍ରତିନିଧି କିଶୋର ସିଂନିନା, ସତ୍ୟବାନ ସାହୁ ତଥା ଗାଁର ଅନେକ ବରିଷ୍ଠ ନାଗରିକ, ପୂର୍ବତନ ସରପଞ୍ଚ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.