ପୂଣ୍ୟତ୍ତୋୟା ଋଷିକୂଲ୍ୟା ଘାଟରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମର ନିଆରା ଦୃଶ୍ୟ

• ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର ପ୍ରତ୍ୟୁଷରୁ ଶିବଲିଙ୍ଗରେ ଜଳାଭିଷେକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆରମ୍ଭ ହୋଇଯାଇଛି ଶିବ ଉପାସନାର ମହନୀୟ ଗଣପର୍ବ ବୋଲ୍ ବୋମ । ବୋଲ୍ ବୋମ ହର୍‌ ହର୍‌ ବମ୍‌ରେ ସ୍ଥାନଟି କମ୍ପି ଉଠିଛି । ଶିବ ଶଙ୍କର ଭଗବାନଙ୍କ ମହିମାର ଭକ୍ତି ଭାବନାର ଏକ ମହନୀୟ ପରମ୍ପରା । ଗତକାଲି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ ଘାଟରେ ଲକ୍ଷାଧିକ ଶିବଭକ୍ତ କାଉଡ଼ିଆମାନଙ୍କର ସମାଗମ ହୋଇଛି । ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ ଘାଟରେ କାଉଡ଼ିଆ ଭକ୍ତ ଅଗଣିତ ପୁରୁଷ ଓ ନାରୀ ସମ୍ମିଳିତ ହୋଇ ନଦୀ ପଠାରେ ବାଲିରେ ଶିବଲିଙ୍ଗ ସ୍ଥାପନ କରି ଯଥା ରୀତିରେ ସ୍ନାନ ସାରି ପୂଜାର୍ଚ୍ଚନା କରିଛନ୍ତି । ପୂଜାବିଧି ସାରି ସେଠୁ କାନ୍ଧରେ ଜଳ ବୋହି ନେଇ ରାଜପଥ ଅତିକ୍ରମ କରି ଯାଇଛନ୍ତି । ବାଟରେ ଗଲା ବେଳେ ବୋଲ୍ ବମ୍‌ ହର୍‌ ହର୍‌ ବମ୍‌ ଧ୍ୱନିରେ ସ୍ଲୋଗାନ ଦେଇ ରାସ୍ତା ଅତିକ୍ରମ କରି ଶୈବାଳୟରେ ପହଞ୍ଚିଛନ୍ତି । ଯୋଡ଼ା ଶ୍ରାବଣର ପ୍ରଥମ ସୋମବାରରେ ପ୍ରତ୍ୟୁଷରୁ ଶିବଲିଙ୍ଗରେ ଜଳାଭିଷେକ ହୋଇଛି । ପ୍ରଥମ ସୋମବାର ପ୍ରତ୍ୟୁଷରୁ ଶିବ ଲିଙ୍ଗରେ ଜଳାଭିଷେକ କରିବା ଅବସରରେ ଗତକାଲି ସନ୍ଧ୍ୟାରେ ଗଞ୍ଜାମ ସହର ଉପକଣ୍ଠରେ ଋଷିକୂଲ୍ୟା ଘାଟରେ କାଉଡ଼ିଆଙ୍କ ସମାଗମର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଯୋଡ଼ା ଶ୍ରାବଣମାସ ପଡ଼ୁଥିବା ହେତୁ ଏହି ବର୍ଷ ଏକ ମହନୀୟ ଅଟେ । ଯାହାକି ପ୍ରତି ୧୯ ବର୍ଷରେ ଥରେ ଏଭଳି ସୌଭାଗ୍ୟର ଦିନ ଆସିଥାଏ ବୋଲି କୁହାଯାଏ । ତେଣୁ ଚଳିତ ବର୍ଷର ବୋଲ୍ ବମ୍‌ ପର୍ବ ପ୍ରାୟତଃ ୬୦ଦିନ ଧରି କାଉଡ଼ିଆମାନେ ନିଷ୍ଠାପର ଭାବେ ଶିବ ଉପାସନା କରିବେ ବୋଲି ଜଣାଯାଏ ।

Leave A Reply

Your email address will not be published.