ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ଏକ ଜଙ୍ଗଲ ଅଞ୍ଚଳରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ହୁହୁ ହୋଇ ନିଆଁ ଜଳୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଗ୍ରୀଷ୍ମ ଋତୁ ଆରମ୍ଭ ପୂର୍ବରୁ ହିଁ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ଚିନ୍ତାର କାରଣ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନି ନିବାରଣ କାର୍ୟ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି । ମାନବୀୟ ଅବହେଳା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁରେ ଏପରି ଘଟଣା ପୁନରାବୃତ୍ତି ରୋକିବା ପାଇଁ ସଚେତନ କରାଯାଉଛି ।