ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ସହ ସ୍ମରଣିକା ପ୍ରକାଶ ପାଇଁ ନିଷ୍ପତ୍ତି : ସ୍ମୃତି କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜବାହାରଲାଲ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥଠାରେ ଆଜି ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ଜମିଦାର ସ୍ୱର୍ଗତ ବୀର ବିକ୍ରମାଦିତ୍ୟ ସିଂହଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ସ୍ଥାପନା କରିବା ସହ ଏକ ସ୍ମରଣିକା ପ୍ରକାଶନ ଓ ପ୍ରତିବର୍ଷ ତାଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ସ୍ୱର୍ଗତ ବରିହାଙ୍କ ପ୍ରତିମୂର୍ତ୍ତି ସହ ଛତିଶଗଡ ରାଜ୍ୟର ଇଂରେଜ ଦ୍ୱାରା ଫାଶୀ ପାଇଥିବା ପ୍ରଥମ ସହିଦ ବିଂଝାଲ ଜାତିର ଗୌରବ ବୀର ନାରାୟଣ ସିଂ ସୋନାଖାନା ଜମିଦାରଙ୍କ ମଧ୍ୟ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ମୃତି କମିଟି ସ୍ଥିର କରିଛି । ନୃସିଂହନାଥଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଜସ୍ବ ରୟତି ଜମି ଯୋଗାଇ ଦେବା ପାଇଁ ଯୋଗେଶ୍ୱର ବରିହା ୪ ଡିସିମିଲ ଜମିଦାନ ଦେବା ପାଇଁ ଘୋଷଣା କରିଥିଲେ । ସ୍ମରଣିକା ପ୍ରକାଶନ ପାଇଁ ପଦ୍ମପୁରର ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯୁବ ଆଇନଜୀବୀ ରାଜ କିଶୋର ସାହୁ ସଭା ପରିଚଳନା କରିଥିଲେ । ସ୍ମୃତି କମିଟି ସକ୍ରିୟ ସଦସ୍ୟ ଅଖିଳ ନେଗୀ, ସଦାଶିବ ବରିହା, ପରାମର୍ଶଦାତା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜଗଦିଶ ସାହୁ ମଞ୍ଚାସୀନ ଥିଲେ । ବୈଠକ ଆଲୋଚନାରେ ଭାଗ ନେଇ ସର୍ବଶ୍ରୀ ଅବିନାଶ ମିଶ୍ର, ଅଶୋକ ବହିଦାର, ଯୋଗେଶ୍ୱର ବରିହା, ଡା ମୋହନ ପ୍ରସାଦ ନାୟକ, ଦୁର୍ଗାପ୍ରସାଦ ଅଗ୍ରୱାଲ, ଗୋବିନ୍ଦ ପଟେଲ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ସଦାଶିବ ବରିହା, ଜଗଦିଶ ସାହୁ, ଲୋଚନ ବରିହା, ସୁରେଶ ରାମ ଚନ୍ଦାନି, ଡା ନାରାୟଣ ପୁରୋହିତ, ସୁଶାନ୍ତ ନାଗ, କୈଲାସ ଦିଶ୍ରୀ, ଯୋଗେନ୍ଦ୍ର ଭୋଇ, ଶ୍ରୀମତୀ ତ୍ରିପୁରା ବରିହା, ଶ୍ରୀମତୀ ତୁଲାବତୀ ତାଣ୍ଡି ନିଜ ନିଜର ମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.