ନିରତାର ନିର୍ଦ୍ଦେଶକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସଭିନିରତାର(ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ର)ର ନିର୍ଦ୍ଦେଶକ ସୂର୍ଯ୍ୟମଣି ଯାଦବଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ କେନ୍ଦ୍ରର ଫିଜିଓଲୋଜି ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏନେଇ ଗତ ଜୁନ୍‌ ୧୬ରେ ଟାଉନ ଥାନାରେ ନିର୍ଦ୍ଦେଶକ ଶ୍ରୀ ଯାଦବଙ୍କ ବିରୋଧରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପରେ ଅଭିଯୋଗକାରିଣୀ ପୁଣି ଥାନାକୁ ଯାଇ ଥାନାଅଧିକାରିଣୀଙ୍କ ସହ ଆଲୋଚନା ପରେ ପୁଲିସ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ନିର୍ଦ୍ଦେଶକ ଶ୍ରୀ ଯାଦବଙ୍କୁ ପଚରାଉଚୁରା କରିଛି । ପ୍ରକାଶ ଯେ, ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଜଣକ ମନସ୍ତତ୍ତ୍ୱ ନିଦାନ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । ସ୍ୱାମୀଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଫିଜିଓଥେରାପି ପାଇଁ ତାଙ୍କ ପାଖକୁ ଆସିଥାନ୍ତି । ହେଲେ ନିର୍ଦ୍ଦେଶକ ଶ୍ରୀ ଯାଦବ ଏହା ଦେଖି ସହ୍ୟ କରିପାରନ୍ତି ନାହିଁ । ତାଙ୍କୁ ଜାଣିଶୁଣି ସେ ହଇରାଣ କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି ବୋଲି ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଅପରପକ୍ଷେ, ଏହା ତାଙ୍କ ବିରୋଧରେ ଏକ ବିଧିବଦ୍ଧ ଷଡଯନ୍ତ୍ର ବୋଲି ନିର୍ଦ୍ଦେଶକ ଶ୍ରୀ ଯାଦବ କହିଛନ୍ତି । ମହିଳାଙ୍କ ସ୍ୱାମୀ ତାଙ୍କୁ ପୂର୍ବରୁ ଆକ୍ରମଣ କରିଥିଲେ । ହୁଏତ ସେଇ ରାଗରେ ମହିଳା ଏଭଳି କାଳ୍ପନିକ କାହାଣୀ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.