oom

ବଢ଼ୁଛି ନିର୍ବାଚନ ତାତି : ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଘାଇଁ ଘାଇଁ ପ୍ରାର୍ଥୀଙ୍କ ପ୍ରଚାର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ ମାନଙ୍କ ପ୍ରଚାର । ଘାଇଁ ଘାଇଁ ବୁଲୁଛି ନିର୍ବାଚନ ପ୍ରଚାର ଗାଡ଼ି । ସୁମଧୁର ସଂଗୀତର ତାଳେ ତାଳେ ମଗାଯାଉଛି ଭୋଟ୍‌ । ତେବେ ଚଳିତ ପୌର ନିର୍ବାଚନରେ ସାମାନ୍ୟ ଅଲଗା ବାତାବରଣ ଦେଖିବାକୁ ମିଳିଛି । ଏବେ ଏବେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ସମେତ ସାରା ଓଡ଼ିଶାରେ ବିଜେଡ଼ି ବାଜିମାତ୍‌ କରିବା ସହ ଓଡ଼ିଶାର ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନକୁ ହାତେଇ ନେବାରେ ସଫଳ ହୋଇଛି ବିଜେଡ଼ି ଦଳ । ଏହି ବିଜୟ ପ୍ରବାହ ପୌର ନିର୍ବାଚନକୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିବ ବୋଲି ବିଜେଡ଼ି ନେତାଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଏହି ବିଜୟ ଫ୍ଲୋ’ର ଉତ୍ସାହ ନିର୍ବାଚନ ପ୍ରଚାରରେ ମଧ୍ୟ କେଉଁଠି କେମିତି ଅନୁମାନ କରାଯାଇ ପାରୁଛି । ତେବେ ବଲାଙ୍ଗିର ସହରରେ ବିଜେଡ଼ିର ଦୁଇ ଜଣ ହେଭି ୱେଟ୍‌ ବଳିଷ୍ଠ ଯୁବ ନେତା କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁଙ୍କ ସହ ବିଜେଡ଼ିର ସଫଳତା ଓ କାର୍ୟ୍ୟଦକ୍ଷତାକୁ ନେଇ ୱାର୍ଡକୁ ୱାର୍ଡ ଭୋଟର୍‌ଙ୍କ ପାଖକୁ ପହଂଚୁଥିବା ଦେଖିବାକୁ ମିଳୁଛି । ବହୁ ଚେଷ୍ଟା ପରେ ମଧ୍ୟ ବଲାଙ୍ଗିର ସଦର ଅଂଚଳରେ ପଞ୍ଚାୟତ ନିର୍ବାଚନରେ ପଛରେ ପଡ଼ିଯାଇଥିବା କଂଗ୍ରେସ ଦଳ ପୌର ନିର୍ବାଚନରେ ତଥାପି ବଳ କଷୁଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସର ଅନ୍ୟ ନେତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ନେଇ ବଲାଙ୍ଗିର ବିକାଶ ନାରାରେ ସହରର ବିଭିନ୍ନ ୱାର୍ଡରେ କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ବିଜେପି ଦଳରେ କିନ୍ତୁ ଟିକେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ପୂର୍ବ ଥର ବିଜେପି ହାତରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ରହିଥିବା ବେଳେ ଏଥର ଏ କ୍ଷେତ୍ରରେ ବିଜେପି ବେଶ୍‌ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା । ତଥାପି ପୌର ନିର୍ବାଚନକୁ ଗୁରୁତ୍ୱ ଦେଇଛି ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ବିଜେପି ଅଧ୍ୟକ୍ଷାଙ୍କ ପ୍ରଚାରରେ ହେଭି ୱେଟ୍‌ ନେତାଙ୍କ ବିଶେଷ ପ୍ରବେଶ ଦୃଷ୍ଟିଗୋଚର ହେଉନଥିବା ବେଳେ ଚଳିତ ପୌର ପରିଷଦ ନିର୍ବାଚନରେ ବିଜେପିର ରଣନୀତି ସ୍ପଷ୍ଟ ଜଣାପଡ଼ୁନାହିଁ । ତଥାପି ବିଜେପି ବି ଯୁଝୁଛି ନିଜ ପତିଆରା ପାଇଁ ।

jittmm
Leave A Reply

Your email address will not be published.