କଂଟାବାଂଜି ଏନ୍‌ଏସି ନିର୍ବାଚନ

  • କଂଗ୍ରେସର ଅଭିଜ୍ଞ ରାଜନେତା, ବିଜେଡିର ଯୁବ ଆଇନଜୀବୀ ଓ ଭାଜପାର ଡିପ୍ଲୋମା ଇଂଜିନିୟର
  • ତିନି ମୁଖ୍ୟ ପ୍ରତିଦ୍ୱନ୍ଦୀଙ୍କ ଗୋଟିଏ ଇସ୍ତାହାର କଂଟାବାଂଜିର ପାନୀୟ ଜଳ ସମସ୍ୟାର ସମାଧାନ, ସୌନ୍ଦର୍ଯ୍ୟିକରଣ ସହ ପମ୍ପୁ ତଲାବର ପୁନଃରୁଦ୍ଧାର
  • ଦୁର୍ନୀତିମୁକ୍ତ କଂଟାବାଂଜି ଏନ୍‌ଏସି

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୌର ପରିଷଦ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଏନ୍‌ଏସି । ଏହି ପୌର ପରିଷଦ ଗଠନରେ ବର୍ତମାନର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ଶାସକ ବିଜେଡି ଦଳର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ଅୟୁବ ଖାନ ଓ ଗତ ବିଧାନସଭା ନିର୍ବାଚନୀରେ ପରାଜିତ ବିଧାୟକ ପ୍ରାର୍ଥୀ ଅଜୟ ଦାସ ଏବଂ ଭାରତୀୟ ଜନତା ପାର୍ଟିର ପରାଜିତ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ମଧ୍ୟରେ ପୌର ପରିଷଦ ନିର୍ବାଚନୀ ଲଢେଇ ବୋଲି ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି । ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧା ସଳଖ ଭାବେ ନିର୍ବାଚନ ହେଉଥିବାରୁ ଭୋଟରମାନେ ତିନି ପ୍ରମୁଖ ଦଳର କେହି ଜଣଙ୍କୁ ନିଜର ଚ୍ୟାରମେନ ଭାବେ ମତଦାନ କରି ବିଜୟୀ କରିବେ ଯାହା କଂଗ୍ରେସର ବର୍ତମାନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ବିଜେଡିର ପୂର୍ବତନ ବିଧାୟକ ଅୟୁବ ଖାନ ଓ ଅଜୟ ଦାସ ତଥା ଭାଜପାର ଲକ୍ଷ୍ମଣ ବାଗଙ୍କ ପାଇଁ ଆତ୍ମ ସମ୍ମାନ ପ୍ରଶ୍ନ ହୋଇଛି । କଂଗ୍ରେସରୁ ବରିଷ୍ଠ କାଉନସିଲର ତଥା ଅଭିଜ୍ଞ ରାଜନେତା ବରିୟାମ ସିଂ ଚାରି ଚାରି ଥର କାଉନ୍‌ସିଲର ଭାବେ ବିଜୟୀ ହୋଇ ସହରର ଜନସାଧାରଣଙ୍କ ସହିତ ଜଡିତ । ନିଜ ବଡଭାଇ ବିଧାୟକ ସାଲୁଜାଙ୍କ ପଦାଙ୍କ ଅନୁସରଣ କରି ସବୁବେଳେ ଅଂଚଳର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ବିଜେଡିର ବିନୟ ଭୁଷଣ ବିଭାର ଜଣେ ଉଚ୍ଚ ଶିକ୍ଷତ ଏବଂ ପେଶାରେ ଓକିଲାତି କରୁଥିବା ବେଳେ ବିଭିନ୍ନ ସମୟରେ ଦଳର ଜଣେ ସକ୍ରିୟ ସଭ୍ୟ ଅଟନ୍ତି । ଗତ ପୌରପାଳିକାରେ ତାଙ୍କ ମା’ କାଉନ୍‌ସିଲର ରହିଥିଲେ । ତାଙ୍କ ତରଫରୁ ପୂର୍ବତନ ବିଧାୟକ ଖାନ ଓ ଅଜୟ ଦାସଙ୍କ ସଂପୂର୍ଣ୍ଣ ଆର୍ଶୀବାଦ ରହିଛି । ସେହିପରି ଭାଜପାର ବେଦବ୍ୟାସ ନାଗ ଜଣେ ଡିପ୍ଲୋମା ଇଂଜିନିୟର ଶିକ୍ଷାଗତ ଯୋଗ୍ୟତା ଥିବା ବେଳେ ଯାଦବ ସମାଜର ନଗର ସଭାପତି ଏବଂ ବିଭିନ୍ନ ସଂଗଠନ ସହ ଜଡିତ ଅଛନ୍ତି ତାଙ୍କ ସହ ଭାଜପାର ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ଓ ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ରଣାଙ୍ଗନ ପ୍ରସ୍ତୁତ କରୁଛନ୍ତି । କଂଟାବାଂଜି ପୌରପାଳିକାର ଚ୍ୟାରମେନ ପଦବୀ ପାଇଁ ନିର୍ବାଚନୀ ରଣାଙ୍ଗନରେ ଥିବା ପ୍ରତିନିଧିମାନଙ୍କୁ ନିର୍ବାଚନୀ ଇସ୍ତାହାର ଉପରେ ଧରିତ୍ରୀ ତରଫରୁ ପଚାରିବାରୁ ଏମାନେ ଯାହା କହନ୍ତି –

ବରିୟାମ ସିଂ ସାଲୁଜା- କଂଟାବାଂଜିର ବିକାଶ ପାଇଁ ମୁଁ ଚେଷ୍ଟିତ । ମୁଁ ଚାରି ଥର କାଉନସିଲର ରହିସାରିଛି ଯାହା କାଉନସିଲର ପଦବୀରେ ଥିବା ବେଳେ ମୋର ପଦବୀ ମୁତାବକ ୱାର୍ଡରେ ଜନସାଧାରଣଙ୍କ ସେବା କରିଛି ଯାହା ମୋତେ ନିଦ୍ୱର୍ନ୍ଦରେ ସିଧାସଳଖ ଚ୍ୟାରମେନ ନିର୍ବାଚନୀ ବେଳେ ଜନସାଧାରଣଙ୍କ ସମର୍ଥନ ମିଳିଛି । ଏପରିକି ମୋର ବଡ ଭାଇ ବିଧାୟକ ସନ୍ତୋଷ ସିଂ ସାଲୁଜା ସହରର ତଥା ନିର୍ବାଚନୀ ମଣ୍ଡଳିର ଯେଉଁ ସେବା ଯୋଗାଇଛନ୍ତି ତାର ଶ୍ରେୟ ମତଦାତାମାନେ ଦେବେ ନିଶ୍ଚିତ ବିଶ୍ୱାସ ରହିଛି । ଆଗାମୀ ଦିନରେ ସହରର ଜନସାଧାରଣଙ୍କ ସୁଖ ଦୁଃଖରେ ରହି ସେମାନଙ୍କ ସେବା ଅଧିକ କରିପାରିବି ଏବଂ ସହରର ଉନ୍ନତି ମଧ୍ୟରେ ପାନୀୟ ଜଳର ସମସ୍ୟା, ପମ୍ପୁ ତଲାବର ଉନ୍ନ୍‌ତି ସହ ସୌନ୍ଦର୍ଯ୍ୟିକରଣ କରିବାର ପ୍ରାଧାନ୍ୟ ଦେବି ।

ବିନୟ ଭୁଷଣ ବିଭାର- ମୁୁଁ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବାରୁ ନିଶ୍ଚିତ ଭାବେ ସହରର ନୂତନ ପ୍ରକଳ୍ପ ଗୁଡିକ ଉପରେ ଗୁରୁତ୍ୱ ଦେବି । ସରକାରଙ୍କ ବିଭିନ୍ନ ଯୋଜନା କଂଟାବାଂଜିରେ କାର୍ଯ୍ୟକାରୀ କରିବାରେ ପ୍ରାଧାନ୍ୟ ଦେବି । ସହରର ସମସ୍ୟା ଗୁଡିକ ଯଥା ଶିଘ୍ର ସମାଧାନ କରିବା ସହିତ ଓଡିଶା ସରକାରଙ୍କଠାରେ ଉପସ୍ଥାପନ କରିବି ।

ବେଦବ୍ୟାସ ନାଗ – ଦୀର୍ଘ ବର୍ଷ ହେଲା ଏହି ପୌରପାଳିକାରେ କଂଗ୍ରେସ ଏବଂ ବିଜେଡି ଅକ୍ତିଆର କରିଆସିଛି । କୌଣସି ଉନ୍ନୟନମୂଳକ ଆଖି ଦୃଶିଆ କାମ ହୋଇ ନାହିଁ । ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ବାଟ ମାରଣା ହୋଇଛି । ଭାଜପାକୁ ଚଳିତ ପୌର ନିର୍ବାଚନୀରେ ଅଧ୍ୟକ୍ଷ ପଦବୀର ସୁଯୋଗ ମିଳେ ତେବେ ସହରର ଉନ୍ନତିକରଣ, ଶିବ ମଂଦିରସ୍ଥିତ ପୋଖରୀର ସୌନ୍ଦର୍ଯ୍ୟିକରଣ ସହ ଜନସାଧାରଣ ଦୁଃଖ ସୁଖରେ ସାମିଲ ହୋଇ ସେବା କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.