ଭୋଟଗଣତି ଓ ଫଳାଫଳ ଘୋଷଣା ନେଇ ପ୍ରାର୍ଥୀଙ୍କୁ ଅବଗତ କଲେ ନିର୍ବାଚନ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେଲାଙ୍ଗ ବ୍ଲକରେ ଫେବୃଆରୀ ୨୨ତାରିଖରେ ମତଦାନ ଶେଷ ହେବାପରେ ସମ୍ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ ବାକ୍ସଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଚ୍ଛିତ ରଖାଯାଇଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଜୋନରେ ଲଢ଼ୁଥିବା ୧୩ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୦୨ ଜଣ ସରପଞ୍ଚ ପ୍ରାର୍ଥୀ, ୭୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୫୩୧ ଜଣ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟବାକ୍ସ ଭିତରେ ସିଲ ହୋଇରହିଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୬,୨୭ ଓ ୨୮ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ଜୋନୱାରୀ ଭୋଟ ଗଣତି ଓ ଫଳାଫଳ ଘୋଷଣା କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ପ୍ରତିଦ୍ଵଦ୍ୱିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

ସୂଚନା ଅନୁଯାୟୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡେଲାଙ୍ଗ ବ୍ଲକ ଅଞ୍ଚଳରୁ ପ୍ରାର୍ଥୀ ହୋଇଥିବା ସମସ୍ତ ୱାର୍ଡସଭ୍ୟ/ସଭ୍ୟା, ସରପଞ୍ଚ ସଭ୍ୟ/ସଭ୍ୟା, ସମିତି ସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଭୋଟ ଗଣତିର ୭୨ ଘଣ୍ଟା ପୂର୍ବରୁ ଗଣତି ନିମନ୍ତେ ଆବଶ୍ୟକ ଏଜେଣ୍ଟ ଫର୍ମ ପୂରଣ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିବା ସହ ଅନୁମତି ପତ୍ର ହାସଲ କରିବା ପାଇଁ ସମସ୍ତ ପ୍ରାର୍ଥୀ/ପ୍ରାର୍ଥୀନୀମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଏପରିକି ଭୋଟ ଗଣତିର ଅଧଘଣ୍ଟା ପୂର୍ବରୁ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ଭୋଟ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବା ପାଇଁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ଦ୍ଧାରିତ ସମୟ ପରେ କୌଣସି ଏଜେଣ୍ଟ କିମ୍ବା ପ୍ରାର୍ଥୀ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି । ପ୍ରାର୍ଥୀ କିମ୍ବା ଏଜେଣ୍ଟମାନେ ଭୋଟ ଗଣତି କେନ୍ଦ୍ର ଭିତରକୁ ମୋବାଇଲ, ବୈଦ୍ୟୁତିକ ଯନ୍ତ୍ରପାତି ଓ ପାଣି ବୋତଲ ନେବା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି ।

ପ୍ରକାଶ ଯୋଗ୍ୟ ଫେବୃଆରୀ ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଡେଲାଙ୍ଗ ବ୍ଲକ ୧୫ ନଂ. ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଗଡ଼ମୋଟରୀ, ଗୋଡିପୁଟମାଟିଆପଡା, ଚାଇଁପୁର, ରେଙ୍ଗଳ, ସୁଜନପୁର, ସିଂହବ୍ରହ୍ମପୁର ଓ ହରିରାଜପୁର ପଞ୍ଚାୟତର ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ। ସେହିପରି ଫେବୃଆରୀ ୨୭ତାରିଖ ସକାଳ ୮ଟାରୁ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ୧୬ ନଂ. ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଅରିଶଲ, କଲ୍ୟାଣପୁର, ଖେଲାଉର, ଘନିପୁର, ଡେଲାଙ୍ଗ-କୋଠବାଡ଼, ମୁନିନ୍ଦା ଓ ସାଉରିଆ ପଞ୍ଚାୟତର ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଫେବୃଆରୀ ୨୮ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ୧୭ ନଂ. ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଅଭୟମୁଖୀ, ଗୁଆଳିପଡା, ଜେନାପୁର, ଧାନକେରା, ବେରବୋଇ, ରେଞ୍ଚ ଓ ଶ୍ରୀ ପୁରୁଷୋତ୍ତମପୁର ପଞ୍ଚାୟତର ଭୋଟ ଗଣତି ଓ ଫଳାଫଳ ଘୋଷଣା କାର୍ଯ୍ୟ ପର୍ଯ୍ୟାୟକ୍ରମେ ତ୍ୱରାନ୍ୱିତ ହେବ ବୋଲି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଳୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.