ଆସିଲେନି ନିର୍ବାଚନ ଅଧିକାରୀ ସ୍ଥଗିତ ରହିଲା ଜୁନାଗଡ଼ ଏନ୍‌ଏସି ଅନାସ୍ଥା ଭୋଟ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷଙ୍କ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି । ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଦିନ ଧାର୍ଯ୍ୟ କରିଥିଲେ । ନିର୍ଦ୍ଧାରିତ ସମୟରେ ଜୁନାଗଡ଼ ଏନ୍‌ଏସିର ବିଜେଡି କାଉନ୍‌ସିଲର ଏବଂ ଉପାଧ୍ୟକ୍ଷ ଏନ୍‌ଏସିରେ ଉପସ୍ଥିତ ଥିଲେ । ଭୋଟ ଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଭବାନୀପାଟଣା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଅସୁସ୍ଥତା କାରଣରୁ ଆସିପାରିଲେ ନାହିଁ । ତେଣୁ ଗୁରୁବାର ଅନାସ୍ଥା ଭୋଟ୍‌ ସ୍ଥଗିତ ରଖାଯିବ ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ମୌଖିକ ଭାବେ ସୂଚନା ଦେଇଥିଲେ । ଫଳରେ କାଉନ୍‌ସିଲର୍‌ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥଲେ । ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାଜପା ଅଧ୍ୟକ୍ଷ ମୁକେଶଙ୍କ ବିରୋଧରେ ବିଜେଡିର ୯ ଜଣ କାଉନ୍‌ସିଲର୍‌ ଓ ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ଆଣି ଗତ ୧୬ ତାରିଖ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜୁନାଗଡ଼ ଏନ୍‌ଏସିର ମୋଟ୍‌ କାଉନ୍‌ସିଲରଙ୍କ ସଂଖ୍ୟା ୧୨ ଥିବାବେଳେ ସେମାନଙ୍କ ମଧ୍ୟରୁ ବିଜେଡିର ୧୦ ଓ ଭାଜପାର ମାତ୍ର ୨ ଜଣ କାଉନ୍‌ସିଲର୍‌ ରହିଛନ୍ତି । ଯାହାଫଳରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କାଉନ୍‌ସିଲର୍‌ଙ୍କ ସଂଖ୍ୟା ଅଧିକ ରହିଥିବାରୁ ପ୍ରତ୍ୟକ୍ଷ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ମୁକେଶଙ୍କ ବିପକ୍ଷରେ ଭୋଟ୍‌ ଯିବାର ଆଶଙ୍କା ରହିଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା କାରଣରୁ ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଆସି ନଥିବାରୁ ଆଜି ଅନାସ୍ଥା ଭୋଟ ସ୍ଥଗିତ ରହିଛି । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କଣ ନିଷ୍ପତ୍ତି ନେବେ ତାରି ଉପରେ ରହିଛି ସଭିଙ୍କ ନଜର ।

Leave A Reply

Your email address will not be published.