୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ । ୨୦୨୪କୁ ଆଉ ମାତ୍ର ସାଢେ଼ ତିନି ମାସ ସମୟ ବାକି ରହିଲା । ଏତିକି ବେଳକୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଜୋର୍‌ ଧରିବା ଆରମ୍ଭ ହେଲାଣି । ବଲାଙ୍ଗିରରେ କିନ୍ତୁ ଏଇ ଉଷ୍ମତାରେ ଆଉ କିଛି ଅଧିକ ତାତି ଅନୁଭବ ହେଉଥିବା ଜଣାପଡ଼ୁଛି । ଶିଳାନ୍ୟାସ, ଉଦ୍‌ଘାଟନର ମାହୋଲ୍‌ ଏମିତି ଜୋର୍‌ ଧରିଛି ଯେ, ଲାଗୁଛି ଯେମିତି ଏଇ ନିହାତି ନିକଟରେ ହିଁ ମୁଣ୍ଡ ଉପରେ ନିର୍ବାଚନ ଅଛି । ସତେ ଯେମିତି ନିର୍ବାଚନ ବିଗୁଲ୍‌ ବାଜି ସାରିଛି । ବାଜା ବାଜୁଛି, ବାଣ ଫୁଟୁଛି…. ପୁଣି ଦଳୀୟ କର୍ମୀଙ୍କ ଉଲ୍ଲସିତ ନାରାବାଜି ସହ ଆକର୍ଷଣୀୟ ପଟୁଆରରେ ରାଜନେତାଙ୍କ ଉଦ୍‌ଘାଟନ, ଶିଳାନ୍ୟାସ ଯାତ୍ରା, ବଡ଼ ଜମକ୍‌ ଧରିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ରାଶିରେ ବଲାଙ୍ଗିର ପୌରାଂଚଳର ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ଧର୍ମାନୁଷ୍ଠାନ, ପାର୍କ, ଗୋଷ୍ଠୀ ଗୃହର ଉନ୍ନତିକରଣ ପାଇଁ ଶିଳାନ୍ୟାସ, ଉଦ୍‌ଘାଟନରେ ଶାସକ ଦଳ ଅଣ୍ଟାଭିଡ଼ି ଲାଗି ପଡ଼ିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମଧ୍ୟ ଏଇ ନିକଟରେ ଯଥେଷ୍ଟ ସମର୍ଥକଙ୍କ ସମାବେଶରେ ବଲାଙ୍ଗିର ଡେଲିମାର୍କେଟ ସ୍ଥିତ ଆୟୁର୍ବେଦ କଲେଜର ପାଚେରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବ୍ରାହ୍ମଣପଡ଼ାରେ ଲକ୍ଷ୍ମୀଯୋର୍‌ ଉପରେ ତୃତୀୟ ବ୍ରିଜ୍‌ର ଉଦ୍‌ଘାଟନ କରିଛନ୍ତି । ବିଜେଡ଼ି ଯୁବନେତା, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋଡର଼୍ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ କରକମଳରେ ଶିଳାନ୍ୟାସ, ଉଦ୍‌ଘାଟନ ମହାଯାତ୍ରାରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଅନ୍ୟ ବିଜେଡ଼ି କାଉନ୍‌ସିଲର୍‌ଙ୍କ ସହ କର୍ମକର୍ତ୍ତାମାନେ ସାମିଲ୍‌ ରହିଛନ୍ତି ।

ବିଧାୟକ ନରସିଂହ ବ୍ରାହ୍ମଣପଡ଼ାରେ ଲକ୍ଷ୍ମୀଯୋର୍‌ ଉପରେ ତୃତୀୟ ବ୍ରିଜ୍‌ର ଉଦ୍‌ଘାଟନ ସମୟରେ ବଲାଙ୍ଗିର ପୌରାଂଚଳରେ ଚାଲିଥିବା ଶିଳାନ୍ୟାସ ଓ ଉଦ୍‌ଘାଟନୀ ମହାଯାତ୍ରା ଉପରେ କଡ଼ା ପ୍ରଶ୍ନର ବାଣ ଛାଡ଼ିଛନ୍ତି । ନିଜ ବିଧାୟକ ସମୟରେ ହୋଇଥିବା ବିକାଶ କାମର ବିବରଣୀ ଦେବା ସହ ସେମାନଙ୍କ ସମୟର କାମର ହିସାବ ମାଗିଛନ୍ତି ନରସିଂହ । ପୁଣି ଜଣେ ବିଧାୟକଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହେଉଥିବା ଉଦ୍‌ଘାଟନୀ ଓ ଶିଳାନ୍ୟାସ କାର୍ୟ୍ୟକ୍ରମରେ ନିମନ୍ତ୍ରଣ କାହିଁକି କରାନଗଲା ବୋଲି ବି ସେ ପଚାରିଛନ୍ତି । ଜଣେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କିଭଳି ଉଦ୍‌ଘାଟନ ଓ ଶିଳାନ୍ୟାସ କରୁଛନ୍ତି…. ଏଥିପାଇଁ ସେ ଉତ୍ତରଦାୟୀ ହେବେ ବୋଲି ବି ସେ ରୋକ୍‌ଠୋକ୍‌ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ହାଉସିଂ ବୋଡର଼୍ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ନିଜ ମତ ରଖିଛନ୍ତି ଏହି ଶିଳାନ୍ୟାସ ଓ ଉଦ୍‌ଘାଟନୀ କାର୍ୟ୍ୟକ୍ରମ ଉପରେ । ପୁଣି ସେ କଟାକ୍ଷ କରି କହିଛନ୍ତି ଯେ, ବିରୋଧୀ ଦଳ ନେତା ତଥା ବିଧାୟକ ବିନା କାମରେ ପ୍ରଶଂସା ସାଉଁଟୁଛନ୍ତି ।

Leave A Reply

Your email address will not be published.