କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଓ କୁଷ୍ଠରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଏକ ଆଲୋଚନା ବୈଠକ ଉପଜିଲ୍ଲାପାଳ ଡାଃ. ବିଜୟନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡଃ. ରମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୧୮ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଯାଉଛି, ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ୧୩ ଗୋଟି ବ୍ଲକରେ ଚିହ୍ନଟ ଅଭିଯାନ ଆୟୋଜିତ କରାଯିବ । ଏହି ଅଭିଯାନର ମୂଳଲକ୍ଷ୍ୟ ହେଉଛି ପ୍ରାରମ୍ଭିକ ଚିହ୍ନଟକୁ ପ୍ରୋତ୍ସାହିତ କରି, ରୋଗର ଅଗ୍ରଗତିକୁ ରୋକିବା ଏବଂ ଅକ୍ଷମତାର ବିପଦକୁ ହ୍ରାସ କରିବା । କୁଷ୍ଠ ରୋଗ, ଏହାର ଲକ୍ଷଣ ଏବଂ ଆଗୁଆ ରୋଗ ନିର୍ଣ୍ଣୟ ଓ ଚିକିତ୍ସାର ଗୁରୁତ୍ୱ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ । ଏହି ଅଭିଯାନରେ ପ୍ରତ୍ୟେକ ଘର ଘର ବୁଲି ରୋଗୀ ଚିହ୍ନଟ ତଥା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ, ବିଦ୍ୟାଳୟ ଏବଂ ସମୁଦାୟ ମାନଙ୍କରେ ସ୍ୱାସ୍ଥ୍ୟ ଶିକ୍ଷାଗତ କାର୍ଯ୍ୟକ୍ରମ, ମାଗଣା ସ୍କ୍ରିନିଂ ଏବଂ ଡାଇଗ୍ନୋଷ୍ଟିକ୍ ସେବା ପ୍ରଦାନ କରୁଥିବା ଭ୍ରାମ୍ୟମାଣ ଚିକିତ୍ସା ଅନ୍ତର୍ଭୁକ୍ତ କରାଯିବ । ଏହି ଅଭିଯାନରେ ୨୦୧୧ଟି ରୋଗ ଚିହ୍ନଟ ଦଳ, ୪୫୫ଜଣ ସ୍ୱାସ୍ଥ୍ୟ କର୍ମୀ, ୩୮ଜଣ ପିଏଚ୍‌ଇଓ, ବିପିଏମ୍‌, ବିଡିଏମ, ୧୫୭ ଜଣ ସେକ୍ଟର ମେଡିକାଲ ଅଫିସର ସାମିଲ ହେବେ । ସମସ୍ତଙ୍କ ସହଯୋଗରେ କିପରି ଭାବେ ଏହି ଅଭିଯାନ କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରିତା କରାଯିବ, ଏହି ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଏ.ଡି.ପି.ଏଚ୍.ଓ (ଲେପ୍ରୋସି ), ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡଃ. ସୁଧା ବାର୍ଲା, ଡଃ. ଜୟଶ୍ରୀ ମହାରଣା, ଡି.ଏଲ୍.ସି ଏବଂ ଡି.ପି.ଏଚ୍.ଓ, ଏ.ଡି.ପି.ଏଚ୍.ଓ(ଟି.ବି), ଚର୍ମ ରୋଗ ବିଶେଷଜ୍ଞ, ଡାଃ. ତୁଷାରକାନ୍ତ ଠାକୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମଦନଜିତ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସୁଷମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ଓ ଡି.ପି.ଏମ୍ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.