- ସଭାପତି ହେଲେ ବିଧୁଭୂଷଣ ଓ ସଂପାଦକ ସୁରେଶ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଆନୁକୂଲ୍ୟରେ ଚିରଞ୍ଜିବୀ ଭଗବାନ ପର୍ଶୁରାମ ଜନ୍ମୋତ୍ସକୁ ସଫଳ କରିବା ପାଇଁ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଓଁକାର ଧ୍ୱନି ସହିତ ଭଗବାନ ପର୍ଶୁରାମଙ୍କ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା ଏବଂ ଶକ୍ତି ବାହିନୀର ସଦସ୍ୟାଗଣ ପର୍ଶୁରାମ ବନ୍ଦନା ସଂଗୀତ ଗାନ କରିଥିଲେ । ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବର୍ଷର ବିବରଣୀ ପଠନ କରିବା ସହିତ ପର୍ଶୁରାମ ବାହିନୀର ନୂତନ କର୍ମକର୍ତ୍ତା ନିର୍ବାଚିତ କରିବା ସକାଶେ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗ୍ରହଣ ହେବା ସହ ଅତି ପରିଚିତ ଯୁବ ସଂଗଠକ ତଥା ଆଇନଜୀବୀ ବିଧୁଭୂଷଣ ତ୍ରିପାଠୀଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ସେହିପରି ସଂପାଦକ ଭାବରେ ସୁରେଶ ମିଶ୍ର ଓ କୋଷାଧ୍ୟକ୍ଷ ରୂପେ ସୁବ୍ରତ ରଞ୍ଜନ ମିଶ୍ରଙ୍କୁ ନିର୍ବାଚିତ କରାଗଲା, ପରବର୍ତ୍ତୀ ପର୍ଯ୍ୟାୟରେ ପୁର୍ଣ୍ଣାଙ୍ଗ କମିଟି ଗଠନ କରିବା ପାଇଁ ନବ ନିର୍ବାଚିତ ସଭାପତିଙ୍କୁ ଦାୟିତ୍ୱ ଅର୍ପଣ କରାଯିବା ସହିତ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ନବ ନିର୍ବାଚିତ ସଭାପତି ଶ୍ରୀ ତ୍ରିପାଠୀ ଆଗାମୀ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ପର୍ଶୁରାମ ଜୟନ୍ତୀ ଓ ସ୍ଥାନୀୟ ଆର୍.ଟି.ଓ ଛକରେ ଭଗବାନ ପର୍ଶୁରାମଙ୍କ ଏକ ଭବ୍ୟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସନ୍ଧ୍ୟାରେ ଏକ ବିଶାଳ ଧାର୍ମିକ ଶୋଭାଯାତ୍ରା ସହର ପରିକ୍ରମା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହିତ ସୁଚାରୁ ରୂପେ ତୁଳାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ଆଇନଜୀବୀ ଜୟରାମ ମିଶ୍ର, ମନୋରଞ୍ଜନ ପୁରୋହିତ, ଲୋକନାଥ ନେପାକ, ଆବାହକ ଶିବଶଙ୍କର ଖୁଆସ, ଉପ-ସଭାପତି ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ସହ-ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ, ନଗର ସଭାପତି ରାକେଶ ପଣ୍ଡା, ସଂପାଦକ ସର୍ଜନ ଆଚାର୍ଯ୍ୟଙ୍କ ସମେତ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତଥା ବ୍ରାହ୍ମଣ ମହାସଭାର ସଦସ୍ୟ/ସଦସ୍ୟା ବୃନ୍ଦ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।