
ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ୨ଦିନ ତଳେ କଟକ ବାର ଆସୋସିଏସନ୍ର କିଛି କାର୍ଯ୍ୟକର୍ତ୍ତା ବିରୋଧି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଅନୁସାରେ ହାଇକୋର୍ଟର ୨ଟି ବେଞ୍ଚ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ଏହାକୁ କଟକ ବାର ଆସୋସିଏସନ୍ର କର୍ମକର୍ତ୍ତା ବିରୋଧ କରିବା ପରେ ମନ୍ତ୍ୟବକୁ ନେଇ ପାଟଣାଗଡ଼ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ପାଟଣାଗଡ଼ କ୍ରିମିନାଲ ବାର ଆସୋସିଏସନ୍ ସଂଘର ସଭାପତି ବିପିନ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକରେ କଟକ ବାର ପ୍ରସ୍ତାବକୁ ବିରୋଧ କରାଯାଇଥିଲା । ହାଇକୋର୍ଟ ବେଞ୍ଚ ସ୍ଥାପନକୁ କେନ୍ଦ୍ର ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବାର କାଉନସିଲ ସଭ୍ୟ ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଦେଇଥିଲେ । କଟକ ବାର ଆସୋସିଏସନ ମନ୍ତ୍ୟବରୁ ନ ହଟିଲେ ଆଗାମୀ ଦିନରେ ଭୟାନକ ଆନ୍ଦୋଳନ କରାଯିବ ବୋଲି ବାର ସଭାପତି କହିଛନ୍ତି । ବୈଠକରେ ବରିଷ୍ଠ ଓକିଲ ଉପେନ୍ଦ୍ର ମିଶ୍ର, ଦର୍ପଗଞ୍ଜନ ପଟ୍ଟନାୟକ, ସିଦ୍ଧାର୍ଥ ମିଶ୍ର, ଚିନ୍ତା ରାଉତ, ରାଜେଶ ପୁରୋହିତ, ହରିବନ୍ଧୁ ମେହେର, ବାସୁଦେବ ପାଢ଼ୀ ଉପସ୍ଥିତ ଥିଲେ ।