କଣ୍ଟିଲୋ ନୀଳମାଧବ ପୀଠକୁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ଦେଶାଭିମୁଖୀ କରାଯିବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ ଗୁରୁବାର କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ, ଭଦ୍ରମଣ୍ଡଳୀ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ । ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ମହାନଦୀ କୂଳରେ ନୀଳମାଧବ ପୀଠର ଶୋଭା ଅତ୍ୟନ୍ତ ମନୋରମ ସ୍ଥଳ ଅଟେ । ୫ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରି ଏହାକୁ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ ସେ ଦିଗରେ ଧ୍ୟାନ ଦିଆଯାଇଛି । ଭକ୍ତିଧର୍ମର ମାନ୍ୟତାସ୍ୱରୂପ ପୁରାଣ ଶାସ୍ତ୍ରର ଏକ କିମ୍ବଦନ୍ତୀ ପୀଠ ଭାବେ ଭାରତ ବର୍ଷରେ ଲୋକାଭିମୁଖୀ କରାଯିବା ନେଇ ରାଜ୍ୟ ସରକାର ପ୍ରାଥମିକ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ଏହା ସହିତ ଏଠାକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି କୁହାଯାଇଛି । ଏଥି ନିମନ୍ତେ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି । ଏଥିପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଏହି ପରିଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି. ଯାଦବ, ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!