କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିବା ଲୋକୋ ପାଇଲଟ୍‌ ନିଖୋଜ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୪ ତାରିଖ ଦିନ ଟିଟିଲାଗଡ଼ ରେଳ ଷ୍ଟେସନରୁ ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ନିଜ ସହ ଲୋକୋ ପାଇଲଟ୍‌କୁ ସାଙ୍ଗରେ ନେଇ ୧୮୫୩୦ ବିଶାଖାପାଟଣା ଦୁର୍ଗ ଏକ୍ସପ୍ରେସରେ ଟିଟିଲାଗଡ଼ ଷ୍ଟେସନରୁ କଣ୍ଟାବାଞ୍ଜି ଷ୍ଟେସନକୁ ବାହାରିଥିଲେ । ହେଲେ କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇ ନଥିଲେ । ସେହି ଟ୍ରେନ୍‌ ଭିତରୁ ହିଁ ନିଖୋଜ ହେଲେ ନା କୁଆଡେ ଗଲେ ? ଯାହାକୁ ନେଇ ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁରକୁ ନେଇ ସସ୍ପେନ୍ସ ଲାଗି ରହିଛି । ଏନେଇ ଟିଟିଲାଗଡ଼ ଜିଆର୍‌ପି ପୋଲିସରେ ଏକ ମେନ ମିସିଙ୍ଗ ମାମଲା ୦୬/୨୪ ରୁଜୁ ହୋଇଛି । ବିଭିନ୍ନ ଟ୍ରାକ୍‌ ଉପରେ ତଦନ୍ତ ବି କରାଯାଇଛି । ଟ୍ରଲି ସାହାଯ୍ୟରେ ତଦନ୍ତକୁ ବ୍ୟାପକ କରିଛି । ହେଲେ କେଉଁଠି ବି ରଙ୍ଗ ବାହାଦୁରକୁ ପୋଲିସ ନା ଠାବ କରିଛି ନା କୌଣସି ସୁରାକ ପାଇଛି । ରଙ୍ଗ ବାହାଦୁର ଧରିଥିବା ପାଣି ବୋତଲ ଦୁର୍ଗ ଷ୍ଟେସନରୁ ମିଳିଛି । ଯାହାକୁ ନେଇ ଏବେ ସସ୍ପେନ୍ସ ଆହୁରି ଲାଗି ରହିଛି । ଲୋକୋ ପାଇଲଟ ଏବେ କେଉଁଠି ? ଏନେଇ ରେଳ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁନଥିବାରୁ ଏହି ଘଟଣା ଆହୁରି ରହସ୍ୟବୃତ୍ତ ହେବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆ ଅଭିଯୋଗ ବି ସାମ୍ନାକୁ ଆସୁଛି । ରେଳ ବିଭାଗ ନିଜ କର୍ମଚାରୀଙ୍କୁ ଖୋଜିବା ତ ଦୂରର କଥା କେବଳ ଜିଆର୍‌ପି ଥାନାରେ ଏକ ମାମଲା ରୁଜୁ କରି ଚୁପ୍‌ ବସିବା ହିଁ ଘଟଣାକୁ ଆହୁରି ଚର୍ଚିତ କରିଛି । ସେପଟେ ଡ୍ୟୁଟିରେ ଶକ୍ତ ଥିବା ତଥା ରେଳ ନିୟମାବଳୀକୁ ପାଳନ କରୁଥିବା ନିଖୋଜ ପାଇଲଟ୍‌ ସହ ବିଭାଗୀୟ ଅଧିକାରୀ ମାନଙ୍କ ମତାନ୍ତର ହେଇଥିବା ପରିବାର ଲୋକଙ୍କ ଅଭିଯୋଗ ଏହି ଘଟଣାକୁ ଆହୁରି ଜଟିଳ କରିଛି । ତେବେ ବାକି ଦେଖିବାକୁ ରହିଲା ରଙ୍ଗ ବାହାଦୁରକୁ ଉଦ୍ଧାର କରିବାରେ ବା ଠାବ କରିବାରେ ଜିଆର୍‌ପି ପୋଲିସ ଆଗକୁ କେଉଁ ପଦକ୍ଷେପ ନେଉଛି ଏବଂ ଏହି ଘଟଣା ପଛରେ ଥିବା ରହସ୍ୟ ଉପରୁ ପରଦା କେବେ ଉଠୁଛି ।

Leave A Reply

Your email address will not be published.