ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିଆରା ଢଙ୍ଗରେ ପାଳିତ ହେଲା ବନ ମହୋତ୍ସବ । ରାୟଗଡ଼ା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ଆଜକୁ ଦୀର୍ଘ ବର୍ଷ ଧରି ଏକାଦଶୀ ପାଳନ କରି ଆସୁଥିବା ମହିଳା ମାନେ ପାଳିଲେ ବନ ମହୋତ୍ସବ । ପିତାମହଲ ସ୍ଥିତ ସେଞ୍ଚୁରିୟନ୍ ୟୁନିଭର୍ସିଟି ସବୁଜ ବନାନୀ ପ୍ରମୋଦ ଉଦ୍ୟାନରେ ଏକ ପ୍ରକାର ଉତ୍ସବର ମହଲ ସୃଷ୍ଟି ହୋଇଥିଲା । ମାସରେ ଦୁଇଥର ଏକାଦଶୀ ତିଥିରେ ବ୍ରତ ପାଳନ କରୁଥିବା ପ୍ରାୟ ୧୦୦ରୁ ଅଧିକ ମହିଳା ମାନେ ନିଜ ନିଜର ପୁଅ, ଝିଅ, ବୋହୁ ଏବଂ ନାତିନାତୁଣୀ ସହିତ ଉପସ୍ଥିତ ଥିଲେ । ବର୍ଷସାରା ପୂଜାପାଠ ଓ ପରିବାର ବ୍ୟସ୍ତତା ମଧ୍ୟରେ ଥାଇ ଆଜି କିଛି ସମୟ ବାହାର କରି ପରସ୍ପର ସହ ବଡ଼ ଆନନ୍ଦର ସହ ଦେଖା ସାକ୍ଷାତ ହୋଇଥିଲେ । ଏହି ବନ ମହୋତ୍ସବରେ ମଧ୍ୟ ନିରାମିଷ ଭୋଜନ ଓ ବିନା ପିଆଜ ରସୁଣ ସାଙ୍ଗକୁ ସମସ୍ତ ବ୍ୟଞ୍ଜନ ଗୁଆ ଘିଅରେ ପ୍ରସ୍ତୁତ କରାଯାଇଥିଲା । ତତ୍ ସାଙ୍ଗକୁ ଆଧୁନିକ ଗୀତକୁ ବାଦ୍ ଦିଆଯାଇ ଭଜନ ଓ ସଙ୍କୀର୍ତ୍ତନ ମାଧ୍ୟମରେ ଝୁମି ଉଠିଥିଲେ ମହିଳା ମାନେ । ଏହି କାର୍ଯ୍ୟକ୍ରମ ଗୀତା, ଭାଗବତ, ରାମାୟଣ, ପ୍ରଶ୍ନତ୍ତୋରି ପ୍ରତିଯୋଗିତା ସାଙ୍ଗକୁ ଭଜନ ଜଣାଣ ଓ ନୃତ୍ୟ ପ୍ରତିଯୋଗିତା, ମ୍ୟୁଜିକାଲ୍ ଚେୟାର, ଲେମ୍ବୁ ଚାମଚ ଭଳି ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତା ଗୁଡ଼ିକ ମଧ୍ୟରୁ ଲେମୁ ଚାମଚରେ ଶ୍ରୀମତୀ ଭବାନୀ ପଟ୍ଟନାୟକ ପ୍ରଥମ, ରାସେଶ୍ୱରୀ ପାଢ଼ୀ ଦ୍ୱିତୀୟ, ସୁନନ୍ଦା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବିଜୟ ଲକ୍ଷ୍ମୀ ପଣ୍ଡା, ଦୀପା ତ୍ରିପାଠୀ ଦ୍ୱିତୀୟ ଏବଂ ଭବାନୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକୁ ସୁପରିଚାଳନା କରିବା ନିମନ୍ତେ ଶ୍ରୀମତୀ ସୁଜ୍ଞାନୀ ପାଢ଼ୀ, ପ୍ରଦିପ୍ତା ଦାସ, ଶାନ୍ତିଲତା ପାଲ ଏବଂ ମୀନତି ସାହୂ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ବନ ମହୋତ୍ସବ ପାଳନକୁ ଦେଖି ସେଞ୍ଚୁରିୟନ ୟୁନିଭର୍ସିଟିର ପରିଚାଳନା ଅଧ୍ୟକ୍ଷ ଭୁରିଭୁରି ପ୍ରଶଂସା କରିବା ସହ ଆଧୁନିକ ଯୁଗରେ ଲୁପ୍ତ ହୋଇଯାଉଥିବା ସଂସ୍କୃତି ପରମ୍ପରା ଓ ସଭ୍ୟତାକୁ ବଜାୟ ରଖିବା ନିମନ୍ତେ ଏହି ପ୍ରୟାସ ଜାରି ରହୁ ବୋଲି ବ୍ରାହ୍ମଣ ସାହି ଏକାଦଶୀ ଗ୍ରୁପର ସମସ୍ତ ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ । ଉକ୍ତ ବନ ମହୋତ୍ସବରେ ରାଧାକାନ୍ତ ମନ୍ଦିର ପରିଚାଳନା କମିଟି ସଦସ୍ୟ ଟୁକୁଲି ପାଢ଼ୀ, ମନ୍ଦିର ପୂଜକ ବାପି ପାଲ ଏବଂ ବ୍ରାହ୍ମଣ ଗୋସେଇଁ କାଳୀ ଚରଣ ରଥ ଉପସ୍ଥିତ ଥିଲେ ।
Prev Post