ପଦ୍ମପୁର, (ନିରୋଜ କୁମାର ପାଣୀ) : କଲଚରାଲ ଏକାଡେମୀ ରାଉରକେଲା, ଓଡ଼ିଶା ଦ୍ୱାରା ଆୟୋଜିତ ବହୁ ପୁରାତନ ତଥା ମର୍ଯ୍ୟାଦାପୂର୍ଣ୍ଣ ଲୋକନାଟକ ମହୋତ୍ସବରେ ଆଗରୁ ନିଜର ସ୍ଥାନ ସୁଦୃଢ କରିଥିବା ସଚେତନ ହେମା, ଢୋଲବନ୍ଧ ନାଟ୍ୟନୁଷ୍ଠାନ ଏବର୍ଷ ମଧ୍ୟ ଅପୂର୍ବ ସଫଳତା ହାସଲ କରିଛି । ପଶ୍ଚିମ ଓଡ଼ିଶାରେ ପୌଷ ପୂର୍ଣ୍ଣିମା କରୁଥିବା ବେଳେ ଗତ ୬ ତାରିଖରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନର ନାଟକ ‘ଜାଏତ ଭିନ୍ ଭିନ୍ ମୁନୁଷ୍ ଏକ’ ପ୍ରଦର୍ଶିତ ହୋଇଥିଲା । ନାଟକରେ ଦର୍ଶକ ବିମୋହିତ ହେବା ସହ ପ୍ରତିଦ୍ୱନ୍ଦୀ ଦଳ ଇର୍ଷାନ୍ୱିତ ହୋଇ ପଡ଼ିଥିଲେ । ହେଲେ ଚୂଡାନ୍ତ ମୂଲ୍ୟାୟନ ପରେ ପ୍ରତ୍ୟେକ ବିଭାଗରେ ପୁରସ୍କାର ମିଳିଥିଲା । ଦ୍ଵିତୀୟ ଶ୍ରେଷ୍ଠ ନାଟ୍ୟକାର ଭାବେ ରାଜକୁମାର ସାହୁ, ତୃତୀୟ ଶ୍ରେଷ୍ଠ ନିର୍ଦ୍ଧେଶନା ରାଜକୁମାର ସାହୁ, ତୃତୀୟ ଶ୍ରେଷ୍ଠ ଅଭିନେତା ରାଜକୁମାର ସାହୁ, ତୃତୀୟ ଶ୍ରେଷ୍ଠ ଅଭିନେତ୍ରୀ ସନ୍ଧ୍ୟା ସୁନା, ତୃତୀୟ ଶ୍ରେଷ୍ଠ ମଞ୍ଚ ଶିଳ୍ପୀ କୂଳମଣି ପଶାୟତ, ଶୁଶିଲ ସାହୁ ଓ ତୃତୀୟ ଶ୍ରେଷ୍ଠ ପ୍ରୟୋଜନା ନାଟକ ଜାଏତ ଭିନ ଭିନ ମୁନୁଷ ଏକ୍କୁ ମିଳିଥିଲା । ଲାଲସାହେବ ସାହୁ ଓ ଡୋଳାମଣି ସାହୁ ସଂଗୀତ ନିର୍ଦ୍ଧେଶନା ଦେଇଥିବା ବେଳେ ଗଜାନନ ବାଗ କଣ୍ଠ ସଂଗୀତ ଦାନ କରିଥିଲେ । ବାବୁଲୁ ସାହୁ, ପ୍ରତିମା ସେଠ, ଘନଶ୍ୟାମ ସାହୁ, ଘନଶ୍ୟମ ଭୋଇ, ହେମନ୍ତ ମହାକୁର, ରସିକ ବରିହା, ପଦ୍ମିନୀ ନନ୍ଦ, ହେମକାନ୍ତ ସେଠ ପ୍ରମୁଖ ସହ କଳାକାର ଭାବେ ଅଂଶଗ୍ରହଣ କରିଥିଲେ । ଭୁଖା ନାଟକରେ ଦଳିତଙ୍କୁ ଭୁଖା ବୋଲି ଦର୍ଶଯାଇଥିବା ବେଳେ ନାଟକର ଦୃଷ୍ଟିଭଙ୍ଗୀ ଓ ବିଷୟ ବସ୍ତୁ କିନ୍ତୁ ଓଲଟା । ସମାଜର ସମାନତାର ସ୍ୱର ବୁଣିବାକୁ ନାଟକ ରଚନା କରୁଥିବା କଥା ନାଟ୍ୟକାର କହୁଥିବା ବେଳେ ପଶ୍ଚିମ ଓଡିଶାର ଲୋକକଥା ଓ ଗାଥାର କଥା କହେ ଏହି ନାଟକ । ଆହୁରି ଅନେକ ସ୍ଥାନରେ ନାଟକଟିକୁ ମଞ୍ଚସ୍ଥ କରାଯିବ ବୋଲି ପ୍ରକାଶ କରିଛନ୍ତି ନାଟ୍ୟକାର ରାଜକୁମାର ସାହୁ ।