
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ ବାରିପଦା” ଆନୁକୂଲ୍ୟରେ ସ୍ଥାନୀୟ ସହୀଦ ସ୍ମୃତି ଭାବନରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି ବୋଲି ମୁଖ୍ୟ ଆୟୋଜକ ତଥା ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ଆୟୋଜକ କମିଟିର ସଦସ୍ୟ ଉପସ୍ଥିତ ରହି ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ । ଚଳିତ ମାସ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରର ସ୍ମାରକୀ ନାଟ୍ୟସଂସ୍ଥା ପ୍ରସ୍ତୁତ “ଜାତି ନନ୍ଦିଘୋଷ”, ବାଲେଶ୍ୱରର ସ୍ରଷ୍ଟା ପ୍ରସ୍ତୁତ “ନଷ୍ଟ ନାଟକର ନାଟ୍ୟକାର”, କେ ସି ଏସ କୋରାପୁଟ ପ୍ରସ୍ତୁତ “ରେମୋ”, ବାସ୍ତବ ବାରିପଦା ପ୍ରସ୍ତୁତ “ପାପି”, ନାଟ୍ୟ ଚେତନା ଭୁବନେଶ୍ୱର ପ୍ରସ୍ତୁତ “ରେବତୀ, ସେବତୀ ଏଇ ବତୀ”, ଶବ୍ଦମୁଗ୍ଧ କୋଲକାତା ପ୍ରସ୍ତୁତ “ମାୟା ମୃଦଙ୍ଗ”, ରଙ୍ଗମଞ୍ଚ ରାଉରକେଲା ପ୍ରସ୍ତୁତ “ଜୀବନ ଯେମିତି”, ପଲ୍ଲବୀ କରଞ୍ଜିଆ ପ୍ରସ୍ତୁତ “ସେମାନେ ଆମ ପ୍ରତିନିଧି”, କଳା ପରିଷଦ ଢେଙ୍କାନାଳ ପ୍ରସ୍ତୁତ “ଯାହା କହିବି ସତ କହିବି”, ନାଟ୍ୟ ଶ୍ରୀ ବ୍ରହ୍ମପୁର ପ୍ରସ୍ତୁତ “ଜରାୟୁ”, ଶତାବ୍ଦୀର କଳାକାର ଭୁବନେଶ୍ୱର ପ୍ରସ୍ତୁତ “ମହାସଂଗ୍ରାମର ମହାନାୟକ”, ପୂର୍ବାରଙ୍ଗ ଆସାମ ପ୍ରସ୍ତୁତ “ଦ୍ରୋଣାଚାର୍ଯ୍ୟ ଶ୍ରୀଗୁରୁବେ ନମଃ” ଓ ଶେଷ ସନ୍ଧ୍ୟାରେ ଆମେ ବାରିପଦା ପ୍ରସ୍ତୁତ ନାଟକ ମଞ୍ଚସ୍ଥ ହେବବୋଲି ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି । ବହୁ ସଂଖ୍ୟାରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବାକୁ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଓ ମେଜର କଳ୍ପନା ଦାସ ଅନୁରୋଧ କରିଛନ୍ତି । ତତ୍ ସହିତ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ୭ ଓ ୧୪ ତାରିଖ ପୂର୍ବାହ୍ନ ୧୧ଟା ରେ ନାଟ୍ୟ ଆଲୋଚନା ଚକ୍ର ଏବଂ ସହୀଦ ସ୍ମୃତି ଭବନରେ ୧୨ ଓ ୧୩ ତାରିଖ ଦିନ ଚିତ୍ରକଳା ଓ ଫୋଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାର, ନିର୍ଦ୍ଦେଶକ, ନାଟ୍ୟକାର ଓ ଅନନ୍ୟ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ଶ୍ରୀ ଦାସ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।