
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଓ ‘ମଠଖାଇ ମହୋତ୍ସବ ପାଳନ କମିଟି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜଷ୍ଟିସ ଡ. ସଞ୍ଜୟ କୁମାର ମିଶ୍ର ଯୋଗଦାନ କରି ଜନ୍ମମାଟିର ଅପୂର୍ବ ଆକର୍ଷଣ ଓ ଆହ୍ଲାଦନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ସମ୍ବାଦ ଓ କନକର ଗ୍ର୍ରୁପ ଏଡିଟର୍ ଭବାନୀ ତ୍ରିପାଠୀ ଯୋଗଦାନ କରି କଳା କେବେ ମରେନାହିଁ, ଏହା ନିରନ୍ତର ପ୍ରବାହମାନ, ନାଟକ ବଂଚିବା ପର୍ଯ୍ୟନ୍ତ ମଣିଷ ନିଜର ଅଭିନୟ କରିଚାଲିଥିବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଜଷ୍ଟିସ ଡ. ସଞ୍ଜୟ କୁମାର ମିଶ୍ରଙ୍କୁ ମଠଖାଇ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଥିଲା । ସମ୍ପାଦକ ରଶ୍ମି ରଞ୍ଜନ ବକ୍ସି ପ୍ରାରମ୍ଭିକ ଭାଷଣ ଦେଇଥିଲେ । ସଭାପତିତ୍ୱ କରିଥିଲେ ଅଖିଳ ହୋତା ଓ ଧନ୍ୟବାଦ ଅର୍ପଣ କରିଥିଲେ ଭବାନୀ ଶତପଥୀ । ମାନପତ୍ର ପଠନ କରିଥିଲେ ଅର୍ଘ୍ୟ ଅର୍ପଣ ମିଶ୍ର । ମଞ୍ଚ ସମର୍ପଣ ହୋଇଥିଲା ସ୍ୱର୍ଗତ ନିମାଇଁ ପାଣିଗ୍ରାହୀଙ୍କୁ । ଏହି ଅବସରରେ ଅତିଥିମାନେ ମହୋତ୍ସବର ସ୍ମରଣିକା ନାଟମଣ୍ଡପ ଉନ୍ମୋଚନ କରିଥିଲେ । ସଭା ପରେ ପଦ୍ମପୁର ‘ଲୁ’ ନାଟ୍ୟଗ୍ରାମ ପକ୍ଷରୁ ନାଟକ “ଆଦମ୍ଖୋର୍’ ପ୍ରଦର୍ଶିତ ହୋଇଥିଲା ।