shyamal

କେରାରେ ସବୁଜ ସଂଘ କଳାନିକେତନ ଦ୍ୱାରା ଓଡ଼ିଆ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଅଣଚାଶ ବର୍ଷ ଧରି ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ ଭାଷା ସହିତ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଶତଚେଷ୍ଟିତ ଅଛି ‘ସବୁଜ ସଂଘ କଳାନିକେତନ କେରା । ପବିତ୍ର ରଥଯାତ୍ରା ବିପତ୍ତାରିଣୀ ବ୍ରତ ଉପଲକ୍ଷେ ଗତ ମଙ୍ଗଳବାର ଇଂରାଜୀ ତାରିଖ ୦୯-୦୭-୨୪ ରେ ଏକ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଭେଟି ଦେଲା ଏକ ଧଉଳି ଗଣନାଟ୍ୟ ଅଭିନୀତ ସୁପର୍ ଡୁପର୍ ହିଟ୍ ଓଡ଼ିଆ ନାଟକ ‘କଳା କାହ୍ନୁ ମୋ’ର କାଳିଆ ସୁନା’ । ନାଟକ ପ୍ରାରମ୍ଭରେ ଡାନ୍ସ ମେଲୋଡି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପରିବେଷଣ କଲା ‘ସଙ୍ଗୀତ ଝଙ୍କାର’ । ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସର୍ବପ୍ରଥମେ ପରିବେଷଣ କଲା ଜଗନ୍ନାଥଙ୍କ ଦଶାବତାର । ପରବର୍ତ୍ତୀ ସମୟରେ ଜଗନ୍ନାଥଙ୍କ ଭଜନ ପ୍ରସ୍ତୁତ କଲେ କାପ୍ସସବାହାଲ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଉଦିତ ନାରାୟଣ ସାହୁ । ଆଦିବାସୀ ନାଚ ସମ୍ବଲପୁରୀ ନାଚ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଦେବଦାସର ଡୋଲା ଡୋଲାରେ ନାଚ ପ୍ରସ୍ତୁତ କଲେ ବାଗୁନ୍ ଏବଂ ପଇଡ଼ ଗ୍ରୁପ୍ ଏବଂ ଶ୍ରୀୟା ଶ୍ରଦ୍ଧା । ରଫିଙ୍କ ପ୍ରସିଦ୍ଧ ହିନ୍ଦୀ ଗୀତ ଆନେ ସେ ଉସ୍‌କେ ଆଏ ବହାର ଗୀତ ପ୍ରସ୍ତୁତ କରିଥିଲେ ହରିହର ଏବଂ ଦିୱାନା ଚଳଚ୍ଚିତ୍ରର ଗୀତ ପରିବେଷଣ କଲେ ସୁନୀଲ ସାହୁ । ସଙ୍ଗୀତ ଝଙ୍କାର ପରେ ପରେ ନାଟକ ମଞ୍ଚସ୍ଥ ହେଲ ‘କଳା କାହ୍ନୁ ମୋ’ର କାଳିଆ ସୁନା’ ନାଟକରେ ନାଟ୍ୟକାର ନିହାର ରଞ୍ଜନ ମହାନ୍ତି ସମାଜକୁ ଯେଉଁ ଉପଦେଶ ଦେଇଛନ୍ତି ଯେ, ଧର୍ମର ସବୁବେଳେ ଜୟ ଓ ପାପର ପରିଣାମ ଭୟଙ୍କର ଏହି ଉକ୍ତିକୁ ନାଟକ ମାଧ୍ୟମରେ ଜୀବନ୍ତ ରୂପ ଦେଲେ ସବୁଜ ସଂଘ କଳାନିକେତନ କେରାର ଛୋଟ ବଡ଼ କଳାକାର । ସାଉଥ ଇଣ୍ଡିଆନ୍ ଗେଟ୍‌ଅପ୍‌ରେ ଖଳନାୟକ ଶମ୍ଭୁ ସାହାଣୀ ଭୂମିକାରେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସତ୍ୟ ପ୍ରକାଶ କର, ଖଳନାୟକ କୁନାଳ ସାହାଣୀ ଭୂମିକାରେ ଅଭିନୟ କଲେ କୃଷ୍ଣଚନ୍ଦ୍ର ନାପିତ । ସୁରଦାସ (ବାପା) ଭୂମିକାରେ ବଳରାମ ସାହୁ, ମୋହନ ନାୟକ ଭୂମିକାରେ ଅଭିଜିତ ଭଟ୍ଟାଚାର୍ଯ୍ୟ, ପୋଲିସ ଇନ୍ସପେକ୍ଟର ଭୂମିକାରେ ସଦାନନ୍ଦ ପତି, ଗାଆଁ ଟାଉଟର ନାଟୁ ମହାନ୍ତି ଭୂମିକାରେ ଜ୍ୟୋତି ପ୍ରକାଶ କର, କମେଡି ପୋଲିସ କନଷ୍ଟେବଳ ଭୂମିକାରେ ଶୁଭ ପ୍ରକାଶ କର, ଭାଇ ବିନୟ ଭୂମିକାରେ ଦୀପକ ତ୍ରିପାଠୀ ଓ ଚାକର ରଘୁଆର ଅଭିନୟ ରାଜୀବ ସିଂହଦେବ ନିଜ ନିଜ ଭୂମିକାରେ ନିଖୁଣ ଅଭିନୟ କରି ଦର୍ଶକ ସମାଜକୁ ବାନ୍ଧି ରଖିଥିଲେ । ନାଟକ ମଞ୍ଚସ୍ଥ କରିବାରେ ସହଯୋଗ କରିଥିଲେ ଜଗନ୍ନାଥ ଚିତ୍ରାଳୟ କେନ୍ଦୁଝର ଏବଂ ଅତିଥି ମହିଳା କଳାକାର ବାଲେଶ୍ଵରର ପ୍ରମିଳା ସାମନ୍ତ, ଜୁଲି ପଣ୍ଡା କଟକର ମାମା ଏବଂ ବାରିପଦାର ମଞ୍ଜୁ ଓ ସୁଷମା । ନାଟକର ଉପସ୍ଥାପନାରେ ଥିଲେ ଦେବାନନ୍ଦ ପତି ଓ ପ୍ରିୟଙ୍କା ସାହୁ । ସବୁଜ ସଂଘ କଳାନିକେତନ କେରାର ସଚିବ ଅବସରପ୍ରାପ୍ତ ଶିକ୍ଷକ କାମାକ୍ଷା ପ୍ରସାଦ ସାହୁ, ଅଧ୍ୟକ୍ଷ ସତ୍ୟ ପ୍ରକାଶ କର ଓ ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡା ନାଟକ ପରିଚାଳନା ଦାୟିତ୍ଵ ବହନ କରିଥିଲେ । ନାଟକର ନିର୍ଦ୍ଦେଶନା ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ସମସ୍ତ ନୃତ୍ୟର କୋରିଓଗ୍ରାଫର ହେଲେ ଆଶୀଷ ରାଉତ ଓ ନରେଶ ଜ୍ୟୋତିଷ, ସଙ୍ଗୀତ ପରିଚାଳନା କରିଥିଲେ ରମାକାନ୍ତ ମହାନ୍ତ । ମଞ୍ଚ ଏବଂ ଆଲୋକ ସଜ୍ଜା ଜଗନ୍ନାଥ ଚିତ୍ରାଳୟ ଉଖୁଣ୍ଡା, କେନ୍ଦୁଝର, କେରା ଗ୍ରାମବାସୀଙ୍କ ସହଯୋଗ ଓ ସମର୍ଥନ ପାଇଁ ସବୁଜ ସଂଘ କଳାନିକେତନର କର୍ମକର୍ତ୍ତା ମାନେ ଧନ୍ୟବାଦ ଦେଇଥିଲେ । ସମାରୋହକୁ ଉଦ୍‌ଘାଟନ କରିଥିଲେ ଚକ୍ରଧରପୁରର ପୂର୍ବତନ ବିଧାୟକ ଶଶିଭୂଷଣ ସାମାଡ଼ । ଶେଷରେ ତିନିଜଣ ଭାଗ୍ୟଶାଳୀ ଦର୍ଶକଙ୍କୁ ପୁରସ୍କୃତ କରାଗଲା ।

purusottam
Leave A Reply

Your email address will not be published.