ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆଯୋଜିତ “ଜାତୀୟ ନାଟକ ମହୋତ୍ସବ”ର ତୃତୀୟ ସନ୍ଧ୍ୟାର ଉତ୍ସବକୁ ଏନ୍ଟିପିସିର ମୁଖ୍ୟ ମହାପ୍ରବନ୍ଧକ କେ. ସତ୍ୟନାରାୟଣ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ସମର ମୁଦାଲି ଓ ସୁନ୍ଦରଗଡ ଜିଲ୍ଲା କୋଅପରେଟିଭ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଝିଲିମା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲାର ବିଶିଷ୍ଟ ଅଭିନେତା, ରାଜନୀତିଜ୍ଞ ଓ ସମାଜସେବୀ ଧୀରେନ ସେନାପତିଙ୍କୁ ‘ଆମ କଳାକାର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସାମ୍ବାଦିକ କ୍ଷେତ୍ରରେ ଅକ୍ଷୟ କୁମାର ଧଳ, ଡ. ସସ୍ମିତା ପ୍ରଧାନ, ପ୍ରୀତିପ୍ରିୟା ଦାସ ପ୍ରମୁଖଙ୍କୁ ସମ୍ପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ବେଲପାହାଡ଼ର ମିରର ଥିଏଟର କଳାକାରମାନେ ନାଟକ ଉଲପୀ ମଂଚସ୍ଥ କରିଥିଲେ । ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକଟି ଅତି ଉଚ୍ଚକୋଟିର ତଥା ହୃଦୟସ୍ପର୍ଶୀ ଥିଲା । ମହାଭାରତରେ ବର୍ଣ୍ଣିତ ଚନ୍ଦ୍ରବଂଶୀ ରାଜକୁମାର ତୃତୀୟ ପାଣ୍ଡବ ଅର୍ଜୁନ ଓ ନାଗବଂଶୀ ରାଜକୁମାରୀ ଉଲପୀଙ୍କ ଅନାବିଳ ପ୍ରେମକୁ ନେଇ ନାଗବଂଶୀ ଓ ଚନ୍ଦ୍ରବଂଶୀ ଲୋକଙ୍କ ମଧ୍ୟରେ ସଂଗଠିତ ସଂଘର୍ଷକୁ ଆଧାର କରି ରଚିତ ନାଟକଟି ସାଂପ୍ରତିକ ତଥାକଥିତ ରକ୍ଷଣଶୀଳ ପରିବାର ମଧ୍ୟରେ ପ୍ରେମ ବିବାହକୁ ନେଇ ସୃଷ୍ଟି ହେଉଥିବା ସଂଘର୍ଷକୁ ଉପସ୍ଥାପନ କରିଛି । ଗୌରୀଶଙ୍କର କୁମ୍ଭାରଙ୍କ ସୁମଧୁର ସଂଗୀତ, ଉଲପୀ ଭୂମିକାରେ ସୋନିଆ ବେହେରା ଓ ଅର୍ଜୁନ ଭୂମିକାରେ ସନ୍ତୋଷ ସାହୁଙ୍କ ନିଖୁଣ ଅଭିନୟ, ତଥା ଉଚ୍ଚକୋଟିର ନିର୍ଦ୍ଦେଶନା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଆସନ୍ତାକାଲି ରୂପାନ୍ତର ବାରିପଦା ମଂଚସ୍ଥ କରିବ ନାଟକ ଅପଦାର୍ଥ ।
Prev Post