ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ସମ୍ପର୍କ ସେକ୍ଟର ୫ ସ୍ଥିତ କଲ୍ଚରାଲ୍ ଏକାଡେମୀ ଠାରେ ବିଶ୍ୱନାଟ୍ୟ ଦିବସ ପାଳନ ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ବିଶ୍ୱ ନାଟ୍ୟ ଦିବସ ୨୦୨୬ର ଶୀର୍ଷକ ଶାନ୍ତିର ସଂସ୍କୃତି ଗଢିତୋଳିବାରେ ନାଟ୍ୟ କଳାର ଭୂମିକା ରହିଛି । ସଂପର୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା “ବିଶ୍ୱନାଟ୍ୟ ଦିବସ ଓ ଜାତୀୟ ନାଟକ ମହୋତ୍ସବ-୨୦୨୬” ଉପଲକ୍ଷେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି ସଂପର୍କର ସଭାପତି ସୁବ୍ରତା ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ମହାପାତ୍ର ଜାତୀୟ ନାଟକ ମହୋତ୍ସବର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଇ କହିଥିଲେ – ମାର୍ଚ୍ଚ ୨୨ତାରଖରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଏବର୍ଷ ଛଅ ଦିନ ବ୍ୟାପି ବିଶ୍ୱନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ । ୨୨ ମାର୍ଚ୍ଚରେ ସଂପର୍କ ରାଉରକେଲାର ନାଟକ “ଅସ୍ମିତା”, ୨୩ ମାର୍ଚ୍ଚରେ କୋଲକାତାର ଥିଏଲାଇଟ୍ ତରଫରୁ ବଂଗଳା ନାଟକ ‘ମାୟାପୁରୀ’, ୨୪ ତାରିଖରେ ବେଲପାହାଡ଼ ମିରର ଥିଏଟର ତରଫରୁ ସମ୍ବଲପୁରୀ ନାଟକ “ଓଲପି”, ୨୫ ତାରିଖରେ ରୂପାନ୍ତର ବାରିପଦାର ଓଡ଼ିଆ ନାଟକ “ଅପଦାର୍ଥ”, ୨୬ ତାରିଖରେ ଭୁବନେଶ୍ୱରର ପଞ୍ଚଧ୍ୱନୀ ତରଫରୁ ଓଡିଆ ନାଟକ “ନୂଆ ଦିଗନ୍ତ”, ୨୭ ତାରିଖରେ ଜାମସେଦପୁରର ପାତ୍ର ତରଫରୁ ହିନ୍ଦୀ ନାଟକ “ପଞ୍ଛି” ମଞ୍ଚସ୍ଥ ହେବ । ଏହି ନାଟକ ଗୁଡିକ ଜାତୀୟସ୍ତରରେ ଦର୍ଶକୀୟ ସ୍ୱୀକୃତି ଲାଭ କରିସାରିଛି । ପ୍ରତ୍ୟେକ ନାଟକ ମଞ୍ଚସ୍ଥ ହେବା ପରେ ଦର୍ଶକମାନେ ସଂପୃକ୍ତ ନାଟକର କଳାକାରମାନଙ୍କୁ ମଞ୍ଚସ୍ଥ ନାଟକ ସମ୍ବନ୍ଧୀୟ ଉପଯୁକ୍ତ ପ୍ରଶ୍ନ ପଚାରି ପୁରସ୍କୃତ ହେବେ । ଏତତ ବ୍ୟତୀତ ୨୪ ତାରିଖ ସକାଳ ଆଠ ଘଟିକାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ଏକକ ଅଭିନୟ ପ୍ରତିଯୋଗିତା, ୨୭ତାରିଖ ସକାଳ ଆଠ ଘଟିକାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗିତା ଓ “ଶିକ୍ଷାନୁଷ୍ଠାନରେ ମଞ୍ଚ ନାଟକ” ଆଧାରିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୭ ମାର୍ଚ୍ଚ ସକାଳ ଆଠ ଘଟିକାରେ ବିଶ୍ୱନାଟ୍ୟ ଦିବସ ପାଳିତ ହେବ । ଏହି ଅବସରରେ ଏକ ରଙ୍ଗାରଙ୍ଗ ‘ନାଟ୍ୟ ପଦଯାତ୍ରା’ ଏକତ୍ର, ରାଉରକେଲାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ପରେ ପରେ ଏକ ଜାତୀୟ ନାଟ୍ୟ ଆଲୋଚନା ଚକ୍ର ମଧ୍ୟ ଆୟୋଜିତ ହେବ । ୨୭ ତାରିଖ ଅପରାହ୍ନ ୩ ଘଟିକାରେ “ଉପାସନା ଓଡିଶୀ ନୃତ୍ୟୋତ୍ସବ ଆୟୋଜିତ ହେବ । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ “ନାଟ୍ୟବନ୍ଧୁ”ସମ୍ମାନରେ ସମ୍ମାନିତ କରାଯିବ । ଏତତ ବ୍ୟତୀତ ପଞ୍ଚାନନ ଦାଶ, ନବୀନ ପରିଡା, ପରେଶ କୁମାର ସାହୁ, ଆଲୋକ ବୋଷଙ୍କୁ ସଂପର୍କ ସମ୍ମାନରେ, ଶ୍ରୀମତୀ ମୀରା ଦାସଙ୍କୁ ଉପାସନା ସମ୍ମାନରେ, ଧୀରେନ ସେନାପତିଙ୍କୁ ଆମ କଳାକାର ସମ୍ମାନରେ, ନଳିନୀ ନିହାର ନାୟକଙ୍କୁ “ଯୁବନାଟ୍ୟ ସମ୍ମାନ”ରେ ଓ ଜଣେ ବରିଷ୍ଠ, ଦୁଇଜଣ ଯୁବ ସାମ୍ବାଦିକଙ୍କୁ ଗୌରୀଶଙ୍କର ସମ୍ମାନରେ ସମ୍ମାନିତ କରିଯିବ । ଏହି ସମ୍ମିଳନୀରେ ଏକତ୍ର ରାଉରକେଲାର ସଦସ୍ୟ ୨୬ଟି ନାଟ୍ୟାନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦାନ କରି ଉତ୍ସବର ସଫଳତା ପାଇଁ ସହଯୋଗର ହାତ ବଢାଇବେ ବୋଲି ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ସପରିବାର ଦର୍ଶକ ଭାବରେ ଯୋଗଦାନ କରିବାକୁ ରାଉରକେଲାବାସୀଙ୍କୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ନାରାୟଣ ପତି, ଏକତ୍ର ସଭାପତି ରାଜୀବ ପାଣି ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଆଲୋକ ବୋଷ, ଅକ୍ଷୟ ସାମଲ, ଡ. ସୁମନ ଦତ୍ତ, ସତ୍ୟ ମିଶ୍ର, କଲ୍ୟାଣୀ ଦାସ, ସୁରେନ୍ଦ୍ର ପାଢ଼ୀ, ସୁଦେଷ୍ଣାରାଣୀ ରାଉତ, ଗଙ୍ଗାଧର ପୁହାଣ, ସନ୍ଧ୍ୟା ପଟ୍ଟନାୟକ, କନକଲତା ଦାସ, ପ୍ରଳୟ ଶତପଥୀ, ଗଙ୍ଗାଧର ଜେନା, ନିହାର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।