ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ୨୬ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱିଦିବସୀୟ ଏକକ ନାଟକ ଉତ୍ସବ ଆସନ୍ତା ୨ ଓ ୩ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏନେଇ ଏକତ୍ରର ସଭାପତି ରାଜୀବ ପାଣି, ଉପସଭାପତି ବିଲୋଚନ ପାତ୍ର ଓ ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୨ ତାରିଖ ଦିନ ଅପରାହ୍ନ ୩ ଘଟିକା ସମୟରେ ୩୦ ବର୍ଷରୁ କମ ଅଭିନେତା ଅଭିନେତ୍ରୀ ମାନେ ଅଭିନୟ ପ୍ରଦର୍ଶନ କରିବେ । ସମସ୍ତ ଅଭିନେତାଙ୍କୁ ୭ ମିନିଟରୁ ୧୦ ମିନିଟ ସମୟ ଦିଆଯିବ । ସେହିପରି ୩ ତାରିଖ ଦିନ ୩୦ ବର୍ଷରୁ ଉର୍ଦ୍ଧ୍ବ କଳାକାରମାନେ ଅଭିନୟ କରିବେ । ଏଥିପାଇଁ କଳାକାରଙ୍କୁ ୩ଟି ବିଭାଗ କୋଏଲ, ଶଙ୍ଖ ଓ ସରସ୍ଵତୀ ଭାବେ ନାମିତ କରାଯାଇଛି । ଏହି ଅଭିନୟ ପରାକାଷ୍ଠା ସଂଳାପ ସହ ଅବା ସଂଳାପ ବିହୀନ ହୋଇପାରେ । ଏହି ପ୍ରତିଯୋଗିତାରେ ୩ଜଣ ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ସ୍ଥାନ ଅଧିକାର କରିଥିବା କଳାକାରଙ୍କୁ ୩ ହଜାର, ଦ୍ୱିତୀୟ ଙ୍କୁ ୨ ହଜାର ଓ ତୃତୀୟ ସ୍ଥାନରେ ଥିବା କଳାକାରଙ୍କୁ ଦେଢ ହଜାର ତଥା ଅନ୍ୟ ୭ ଜଣ ଜୁରୀ ମନୋନୀତ କଳାକାରଙ୍କୁ ୧ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏହି ଏକକ ଅଭିନୟରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସ୍ମୃତି ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ୨ ତାରିଖ ଦିନ ଉଦଘାଟନୀ ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ଏନଏସଡିର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଜଗନ୍ନାଥ ସେଠ୍, ୩ ତାରିଖ ଦିନ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ଆରଏସପିର ମୁଖ୍ୟ ମହାପ୍ରବନ୍ଧକ ବିଜୟ କୁମାର ଯୋଯୋ ଅତିଥି ଭାବେ ଯୋଗଦେବେ । ସେହିଦିନ ସନ୍ଧ୍ୟା ୮ ଘଟିକା ଉଦଯାପନୀ ଉତ୍ସବରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଓ ଆରଏସପି ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବେ । ଏହି ଏକକ ଅଭିନୟ ଉତ୍ସବରେ ସୌଜନ୍ୟ,ଶାଳିନତା, ଐକ୍ୟଭାବ ଅବା ସାମ୍ପ୍ରଦାୟିକ ସଦଭାବ ନଷ୍ଟ କଲାଭଳି କୌଣସି ଅଭିନୟ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ଅଭିନୟ ଉତ୍ସବକୁ ବହୁ ସଂଖ୍ୟାରେ ନାଟ୍ୟପ୍ରେମୀ, ସହରବାସୀ ଉପଭୋଗ ଓ କଳାକାରଙ୍କୁ ଉତ୍ସାହିତ କରିବାକୁ ନିବେଦନ କରାଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଡା. କୃପାସିନ୍ଧୁ ନାୟକ, ସାଂସ୍କୃତିକ ସମ୍ପାଦକ ପ୍ରବୀର କୁମାର ଜେନା, ସମ୍ପର୍କ ପ୍ରମୁଖ ଅକ୍ଷୟ କୁମାର ଧଳ, କନକଲତା ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ନିତା ଗୋସ୍ୱାମୀ, ଆଲୋକ ବୋଷ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରଳୟ କୁମାର ଶତପଥୀ, ମନୋରଞ୍ଜନ ବକ୍ସି, ରାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲା ବେଳେ ଶେଷରେ ଦିଲିପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏଭଳି କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରଥମ କରି ହେଉଥିବା ବେଳେ ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ୭୫ରୁ ୮୦ ଜଣ କଳାକାର ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।
