ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା : ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଅଷ୍ଟମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଗଙ୍ଗାଧର ଜେନା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଡା. ସୁଶାନ୍ତ ପାଣି ଦେଇଥିବା ବେଳେ ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ । ନାଟକରେ ପ୍ରଜ୍ଞାନନ୍ଦ ମହାନ୍ତି, ଶୁଭେନ୍ଦୁ ସାମଲ, ଭରତ ସେଠୀ, ବିନୟ ଜେନା, ପ୍ରତାପ ଲେଙ୍କା, ମାନସୀ ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ । ନାଟକର ବିଷୟ ବସ୍ତୁ ହେଲା ବିଚିତ୍ର ଅଥଚ ସୁନ୍ଦର ପୁଷ୍ପିତ ସଂସାରରେ ମଣିଷ ବଞ୍ଚିଥାଏ ଅନେକ ଆଶା ଓ ବିଶ୍ୱାସକୁ ନେଇ । ସ୍ନେହ, ମମତା, ସୁଖ, ଶାନ୍ତିକୁ ନେଇ ଗଠିତ ପରିବାରରେ ସେ କ’ଣ ଆଶା କରିଥିବା ସୁଖ ଟିକକ ପାଇପାରେ ? ଜୀବନଟା ଏକ ଦୁର୍ବୋଧ ଅଛିଣ୍ଡା ଗଣିତ ପରି । ଗୀତାର ବିଷାଦ ଯୋଗରୁ ଆରମ୍ଭ ହୋଇ ସମର୍ପଣରେ ଶେଷ ପରି ମଣିଷ ଜୀବନ ଭାବ, ଅଭାବ, ମହାଭାବକୁ ନେଇ ଗତିଶୀଳ । ଉତ୍ତମ ଚିନ୍ତା ମଣିଷକୁ ପୁରୁଷୋତ୍ତମ ଭାବେ ଠିଆ କରିଥିବା ବେଳେ ସଂକୀର୍ଣ୍ଣ ସ୍ବାର୍ଥ ଚିନ୍ତା ତାକୁ ନେଇ ଶୂନ୍ୟରେ ପହଞ୍ଚାଇ ଦିଏ । ଆଶା, ଭରସା, ସ୍ନେହ, ମମତା ସମାଧିସ୍ଥ ହୁଏ । ଏହାହିଁ ନାଟକ ମହାଶୂନ୍ୟର ସାରମର୍ମ । ଏଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି । ଆଜିର ଏହି ନାଟକରେ ମୁଖ୍ୟ ଅତିଥି ଭାବେ ବଣାଇର ପ୍ରାକ୍ତନ ବିଧାୟକ ଭୀମସେନ ଚୌଧୁରୀ ଓ ସମ୍ମାନିତ ଅତିଥି ଭାବେ ଆର୍‌ଏସ୍‌ପିର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ ତାଙ୍କ ବକ୍ତବ୍ୟରେ ଆମ ଭାଷା ଓ ସଂସ୍କୃତିର ଉପମା ନାହିଁ । ସଂସାର ଦୁଃଖ ଜଞ୍ଜାଳରୁ ନାଟକ ମୁକ୍ତି ଦେଇଥାଏ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କଳା ଓ ସଂସ୍କୃତି କ୍ଷେତ୍ରରେ ରାଜ୍ୟରେ ରାଉରକେଲା ସ୍ଥାନ ସ୍ବତନ୍ତ୍ର ବୋଲି କହିବା ସହ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ସର୍ବଦା ଧନ୍ୟବାଦର ପାତ୍ର ହୋଇଥାନ୍ତି ବୋଲି କହିଥିଲେ । ଏକତ୍ର ତରଫରୁ ସମାଜସେବୀ ତଥା ପ୍ରାକ୍ତନ ପୁଲିସ ଅଧିକାରୀ ଡ଼ଃ ସୁମନ ଦତ୍ତ ସ୍ବାଗତ ଭାଷଣ ଓ ସଦସ୍ୟ ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, କୃପାସିନ୍ଧୁ ନାୟକ, ଆଲୋକ ବୋଷ, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, କନକଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ଶରତ ଦାସ, ରମେଶ ମହାନ୍ତି, ଅକ୍ଷୟ ଧଳ, ପ୍ରଦୀପ ନାୟକ, ରାଧାକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଝିଲିମା ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ନାଟକର ରୂପସଜ୍ଜାର ହରିହର ବଳ, ଶବ୍ଦ ଓ ଆଲୋକରେ ସାନୁ ଶ୍ରୀଲାଇଟ୍ସ ତଥା କଲ୍ୟାଣୀ ଦାସ ଓ ରୁନୁ ବେକ୍ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!