ନୂତନ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ସୁକତେଲ ପ୍ରକଳ୍ପ ବାଧାପ୍ରାପ୍ତ ହେବ ନାହିଁ : ନରସିଂହ

ଶୀଘ୍ର ମିଳିବ ବାଏପାସ୍‌ର କ୍ଷତିପୂରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନା ଠାରେ ହେବାକୁ ଥିବା ୧୫୪ କୋଟିର ଭୁତଳ ଜଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦ୍ୱାରା ସୁକତେଲ ପ୍ରକଳ୍ପ ପ୍ରଭାବିତ ହେବା ସହ ବନ୍ଦ ହୋଇ ଯିବନି ତ ବୋଲି ସମ୍ବାଦପତ୍ରରେ ଏକ ଆଶଙ୍କା ପ୍ରକାଶ ପାଇଥିଲା । ଏହି ଖବରକୁ ଆଧାର କରି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କୌଣସି ନୂତନ ପ୍ରକଳ୍ପ ଆରମ୍ଭ ହେଲେ ଲୋୟର ସୁକତେଲ ପ୍ରକଳ୍ପ ବାଧା ପ୍ରାପ୍ତ ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ଏହି ଖବରକୁ ନାପସନ୍ଦ କରିବା ସହ କିଛି ସମ୍ବାଦିକ ବନ୍ଧୁ ଅଯଥାରେ ନକାରତ୍ମକ ଖବର ପରିବେଶଣ କରି ଲୋକଙ୍କୁ ଭ୍ରମିତ କରୁଛନ୍ତି । ସେମାନେ ଦୟା ପୁର୍ବକ ଏପ୍ରକାର ଖବର ପରିବେଷଣରୁ ନିବୃତ ରୁହନ୍ତୁ । ଏହା ଦ୍ୱାରା କେବଳ ବଲାଙ୍ଗିରବାସୀଙ୍କ ମନରେ ଅଯଥା କଷ୍ଟ ହେବ ବୋଲି କହିଛନ୍ତି ।

ସ୍ଥାନୀୟ ସାକିର୍ଟ ହାଉସ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ମୁଁ କେବେ ବି ନଭେମ୍ବର ମାସରେ ପ୍ରକଳ୍ପ ଆରମ୍ଭ ହେବ ବୋଲି କହି ନଥିଲି । ଫୋନ ଯୋଗେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ କଥା ହେବା ବେଳେ କିଛି ସାମ୍ବାଦିକ ବନ୍ଧୁ ଆମ କଥା ବାର୍ତ୍ତା ଶୁଣିଥିଲେ । ସେହି ବାର୍ତ୍ତାଳାପରେ ମୋର ପ୍ରଶ୍ନର ଉତ୍ତରରେ ନିଜେ ଯନ୍ତ୍ରୀ ସୁକତେଲ ପ୍ରକଳ୍ପ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ ବୋଲି ମତେ କହିଥିଲେ । ଏହି କଥାକୁ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନେ ସମ୍ବାଦପତ୍ରରେ ପ୍ରକାଶ କରିଥିଲେ । ମୁଁ ପୁଣି ଥରେ ସମସ୍ତଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଆସନ୍ତା କାଲି ଏହି ଜଳସେଚନ ପ୍ରକଳ୍ପକୁ ନେଇ ଏକ ହାଇ ପାଓାର କମିଟିର ବୈଠକ ହେବକୁ ଯାଉଛି । ଆହୁରି ବଲାଙ୍ଗିର ପ୍ରକଳ୍ପ କାର୍ୟ୍ୟାଳୟରେ କିଛି ନୁତନ ଅଧୀକାରୀ ନିଯୁକ୍ତି ପାଇଥିବା ବେଳେ କାମ ଶୀଘ୍ର ଆରମ୍ଭ ହେବ ବୋଲି ମୋର ଦୃଢ ବିଶ୍ୱାସ । ସେହିପରି ବଲାଙ୍ଗିର ବାଏପାସ ପାଇଁ ମଧ୍ୟ ଲୋକଙ୍କୁ ଶୀଘ୍ର କ୍ଷତିପୁରଣ ଦେବା ଆରମ୍ଭ ହେବ । ବାଏପାସ୍ ରେ ଜମି ଯାଉଥିବା କିଛି ଜମି ମାଲିକ ତାଙ୍କର କ୍ଷତିପୂରଣ ପାଇ ସାରିଛନ୍ତି । ବାକିଥିବା ଜମି ମାଲିକ ମାନେ ଶୀଘ୍ର ପଇସା ପାଇବେ ଓ କାମ ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ।

Leave A Reply

Your email address will not be published.

error: Content is protected !!